ମାହେନ୍ଦ୍ର ବେଳାରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ପୁଣିଥରେ ଚକ୍ମକ୍ ହୋଇ ଦିଶିବ ବିଶ୍ବନିୟନ୍ତାଙ୍କ ସୁନା-ରୁପା ଅଳଙ୍କାର । ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ଗଣତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୯୭୮ ମସିହା ପରେ ଅର୍ଥାତ ଦୀର୍ଘ ୪୮ ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ହେଉଛି । ଦିନ ୧୨ଟା ୯ ମିନିଟରୁ ୧ ଟା ୪୫ ପର୍ଯ୍ୟନ୍ତ ଶୁଭ ବେଳା ରହିଛି । ଏହି ଶୁଭ ବେଳା ମଧ୍ୟରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ପ୍ରଭାବିତ ନହୁଏ ତା’କୁ ଦୃଷ୍ଟିରେ ରଖାଯିବ । ଗଣତି ମଣତି ପାଇଁ ଉଦ୍ଦିଷ୍ଟ ଦଳର ସହସ୍ୟମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିବେ । ଗଣତି ମଣତି ପାଇଁ ଏକ ନିର୍ଦ୍ଦିଷ୍ଟ ଏସଓପି ଜାରି କରାଯାଇଛି । ଏହି ଏସଓପି ଅନୁଯାୟୀ, ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଚାଲୁଥିବା ସମୟରେ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ନୀତି କରୁଥିବା ସମ୍ପୃକ୍ତ ପାଳିଆ ସେବକ କେବଳ ମନ୍ଦିରରେ ପ୍ରବେଶ କରିବେ । ଅନ୍ୟ କୌଣସି ସେବାୟତ ଏବଂ ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ରତ୍ନ ଅଳଙ୍କାର ଗଣତି ମଣତି ବେଳେ ଉପସ୍ଥିତି ଥିବା ସମସ୍ତ ସଦସ୍ୟଙ୍କ ପାଇଁ ପୁରୀ ଏସପି ପରିଚୟ ପତ୍ର ପ୍ରଦାନ କରିବେ ।



