ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର : ମାନବିକତାର ସୀମା ପାର କଲା ମଣିଷ । ପୂର୍ବରୁ ମଣିଷକୁ ହାଣୁଥିଲେ । ଏବେ ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ମଚାଇବା ସହ କୁକୁରକୁ ଜଣକ ପରେ ଜଣେ ଖଣ୍ଡାରେ ହାଣି ଚାଲିଲେ । ରାସ୍ତା ଉପରେ ଶୋଇଥିବା ନିରିହ ଜୀବଟାକୁ ବି ଛାଡିଲେନି । ବ୍ରହ୍ମପୁର ଗାନ୍ଧୀନଗର ଲେନ୍ ନଂ-୭ରେ ଘଟିଛି ଅମାନବିୟ ଘଟଣା । କୁକୁରକୁ ଆକ୍ରମଣ କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ । ଏହି ସମୟରେ କଲୋନୀରେ ଥିବା କିଛି ବୁଲା କୁକୁର ସେମାନଙ୍କୁ ଦେଖି ଜୋରରେ ଭୋକିଥିଲେ । କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନେ ରାଗକୁ କାବୁ କରିପାରିନଥିଲେ । ଉତ୍ୟକ୍ତ ହୋଇ ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଜଣ ଯୁବକ ଏକ ଖଣ୍ଡାରେ କୁକୁରକୁ ହାଣି ଚାଲିଲେ । ଜୀବନ ବିକଳରେ କୁକୁରମାନେ ଦୌଡ଼ିବାକୁ ଲାଗିଥିଲା । ତଥାପି ଦୁର୍ବୃତ୍ତଙ୍କ ରାଗ ଶାନ୍ତ ହୋଇନଥିଲା । ଗୋଡ଼ାଇ ଗୋଡ଼ାଇ ଅନ୍ୟ କୁକୁର ମାନଙ୍କୁ ମଧ୍ୟ ହାଣିଥିଲେ । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କଣ ପାଇଁ ବୁଲା କୁକୁରଟିକୁ ଆକ୍ରମଣ କରିବା ପଛର କାରଣ ଜଣା ପଡ଼ିନଥିବା ବେଳେ ଭିଡିଓ ଭାଇରାଲ ପରେ ଟାଉନ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।