କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଘଟଣା ପରେ କୁଏତର ଗୃହମନ୍ତ୍ରୀ ଶେଖ ଫହାଦ ଅଲ ୟୁସୁଫ ଅଲ ସବାହ ଅଟ୍ଟାଳିକାର ମାଲିକଙ୍କୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ଏହାକୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର, ମେଲ୍‌ ଆଇଡି ଜାରି କରାଯାଇଛି। ଏହା ମାଧ୍ୟମରେ ପୀଡ଼ିତଙ୍କ ପରିବାର କୁଏତରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିପାରିବେ। ଦୁର୍ଘଟଣା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଅଗ୍ନିକାଣ୍ଡ ଘଟଣା ଶୁଣି ଅତ୍ୟନ୍ତ ମର୍ମାହତ। ୪୦ରୁ ଅଧିକ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମର ରାଷ୍ଟ୍ରଦୂତ ପୀଡ଼ିତଙ୍କୁ ଭେଟିଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରପ୍ରତି ଗଭୀର ସମବେଦନା। କୁହାଯାଉଛି ଯେ, ଯେଉଁ ଅଟ୍ଟାଳିକାରେ ନିଆଁ ଲାଗିଥିଲା ତାହା ୬ ମହଲା ବିଶିଷ୍ଟ। ଏହାର ରୋଷେଇଘରେ ନିଆଁ ଲାଗିଥିଲା। ପରେ ଏହା ବ୍ୟାପିଯାଇଥିଲା। ଏହି କୋଠାରେ ଗୋଟିଏ କମ୍ପାନୀରେ କାମ କରୁଥିବା ୧୬୦ ଲୋକ ରହୁଥିଲେ, ଯେଉଁଥିରେ ଅନେକ କର୍ମଚାରୀ ଭାରତୀୟ ଥିଲେ।

Related Articles

Leave a Reply

Your email address will not be published.

Back to top button