ଅତିରିକ୍ତ ବଜେଟ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୂତନ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତୁତ ହେବ। ଏହାକୁ ଦୃଷ୍ଟିରେ ରଖି ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ସକାଶେ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ମୌସୁମୀ କିମ୍ବା ଶୀତକାଳୀନ ଅଧିବେଶନରେ ଉକ୍ତ ଅତିରିକ୍ତ ବଜେଟକୁ ବିଧାନସଭାରେ ସରକାର ଅନୁମୋଦନ କରାଇ ପାରନ୍ତି। ଏହା ପୂର୍ବରୁ ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗ ଉଦ୍ୟମ ଆରମ୍ଭ କରିଛି। ତେବେ ଯେଉଁ ବିଭାଗଗୁଡ଼ିକ ଜୁନ୍‌ ଶେଷ ସୁଦ୍ଧା ମୂଳ ବଜେଟର ୨୫% ବ୍ୟୟ କରି ନ ଥିବେ ସେହି ବିଭାଗଗୁଡ଼ିକ ଅତିରିକ୍ତ ବଜେଟ ପାଇଁ କୌଣସି ପ୍ରସ୍ତାବ ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ମାସ ୩୧ ସୁଦ୍ଧା ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ରାଜ୍ୟ ସରକାର ଚଳିତ ବଜେଟରେ ଦୀର୍ଘମିଆଦୀ ବିକାଶ ଉପରେ ଫୋକସ କରିଛନ୍ତି। ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ କରିବା ସହ ଚାଷୀଙ୍କ ଆୟ ବଢ଼ାଇବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୩-୨୪ରେ କେନ୍ଦ୍ର ବଜେଟରେ ଭାରତର ଅଭିବୃଦ୍ଧି ୬.୩% ଧାର୍ଯ୍ୟ କରାଯାଇଥିବା ବେଳେ ଓଡ଼ିଶାରେ ଏହା ୮% ହେବ ବୋଲି ବଜେଟରେ ଆକଳନ କରାଯାଇଛି। ସେହିପରି ରାଜ୍ୟରେ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ୧୨.୩ ପ୍ରତିଶତ ହୋଇଥିବା ବେଳେ ଖର୍ଚ୍ଚ ୧୫ ପ୍ରତିଶତ ହୋଇଛି। ବଜେଟ ଖର୍ଚ୍ଚ ବୃଦ୍ଧି କରିବା ଉପରେ ଅର୍ଥ ବିଭାଗ ଗୁରୁତ୍ୱ ଦେଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଅତିରିକ୍ତ ବଜେଟ ପାଇଁ ବିଭାଗଗୁଡ଼ିକ କାର୍ଯ୍ୟକ୍ରମ ଖର୍ଚ୍ଚଗୁଡ଼ିକୁ ଠିକ୍‌ ଭାବେ ଆକଳନ ନ କରି ପ୍ରସ୍ତାବ ଦେଉଛନ୍ତି। ଫଳରେ ବର୍ଷ ଶେଷରେ ବହୁ ପରିମାଣ ଅର୍ଥ ବିଭାଗଗୁଡ଼ିକ ଫେରସ୍ତ କରୁଛନ୍ତି। ବାସ୍ତବ ଖର୍ଚ୍ଚ ଆକଳନ କରି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ କୁହାଯାଇଛି। ପ୍ରଶାସନିକ ଖର୍ଚ୍ଚ ସମ୍ବନ୍ଧୀୟ ଅତିରିକ୍ତ ପ୍ରସ୍ତାବ, ଅର୍ଥ ବିଭାଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଅତିରିକ୍ତ ଖର୍ଚ୍ଚ ପ୍ରସ୍ତାବ ଯୋଜନା ଓ ସଂଯୋଜନା ବିଭାଗରେ ଜୁଲାଇ ୩୧ ସୁଦ୍ଧା ଅନ୍‌ଲାଇନ ଜରିଆରେ ଉପସ୍ଥାପନ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button