ସ୍ବେଚ୍ଛାକୃତ ଅବସର ନେଲେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ

ଭୁବନେଶ୍ବର: ଶେଷରେ ଆଇଏଏସ ଚାକିରୀକୁ ବାଏ ବାଏ କଲେ ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ। ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ। କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିଥିବାର ସୂଚନା ମିଳିଛି। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି 2000 ବ୍ୟାଚର ଆଇଏଏସ। ସୁଜାତା ଗତ ନିର୍ବାଚନ ବେଳେ ବେଶ ଚର୍ଚ୍ଚାରେ ଥିଲେ। କାରଣ ତାଙ୍କର ସ୍ବାମୀ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ପାଣ୍ଡିଆନ ଆଇଏସ ଚାକିରୀ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ତଥା ରାଜନୈତିକ କଥା ବୁଝୁଥିଲେ। ସେହିପରି ସୁଜାତା ମଧ୍ୟ ସେତେବେଳେ ମିଶନ ଶକ୍ତିର ସଚିବ ଥିବା ବେଳେ ଏସଏଚଜି ମହିଳାଙ୍କୁ ବିଜେଡି ପାଇଁ କାମ କରିବାକୁ କହୁଥିଲେ ବୋଲି ଅଭିଯୋଗ କରାଯାଇଥିଲା। ଫଳରେ ନିର୍ବାଚନ ପୂର୍ବରୁ ତାଙ୍କୁ ମିଶନ ଶକ୍ତିରୁ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ନିର୍ବାଚନ ପରେ ବିଜେପି ସରକାରକୁ ଆସିବା ପରେ ସୁଜାତା ଛଅ ମାସ ପାଇଁ ଛୁଟିରେ ଯାଇଥିଲେ। ଛୁଟି ସରିବା ପରେ ପୁଣି ଛୁଟି ଆବେଦନ କରିଥିଲେ ମଧ୍ୟ ତାହାକୁ ସରକାର ଗ୍ରହଣ କରି ନ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button