ଦରମା ନ ମିଳିବାରୁ ଆତ୍ମାହୂତି ଉଦ୍ୟମ, ୫ ବର୍ଷ ହେବ ଦରମା ନ ପାଇ ଖଟୁଛନ୍ତି ଜଣେ ଠିକା କର୍ମଚାରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଦରମା ମିଳି ନଥିବାରୁ ଆତ୍ମାହୁତି ଉଦ୍ୟମ କରିଥିଲେ | ଏହି ଠିକା କର୍ମଚାରୀଙ୍କ ନାଁ ଦିବାକର ଦାସ | ସେ ବାସୁଦେବପୁର ସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରନ୍ତି | ୧୯୮୩ ମସିହାରେ ସେ ଚାକିରିରେ ଯୋଗ ଦେଇଥଲେ | କିନ୍ତୁ କୌଣସି କାରଣ ବଶତଃ ୧୯୮୯ରେ ତାଙ୍କୁ ଛଟେଇ କରି ଦିଆଯାଇଥିଲା | ଏହା ବିରୋଧରେ ସେ ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେଇଥିଲେ | ୨୦୧୬ ରେ ତାଙ୍କୁ ସେହିଠାରେ ପୁନଃନିଯୁକ୍ତି ମିଳିଥିଲା | କିନ୍ତୁ ସେହି ଦିନଠାରୁ ସେ ଦରମା ପାଇନାହାନ୍ତି | ଦରମା ପାଇଁ ୨୦୧୮ ମସିହାରେ ଆମରଣ ଅନଶନରେ ବସିଥିଲେ ଦିବାକର | ଏହା ପରେ ଦରମା ଦେବାକୁ ଉଚ୍ଚ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ | କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ପ୍ରତିଶ୍ରୁତି ରକ୍ଷା କଲେ ନାହିଁ |

ଦିବାକରଙ୍କୁ ୫ ବର୍ଷ ହେଲାଣି ଦରମା ମିଳିନି | ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ସେ ବାସୁଦେବପୁର ସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ | ସେ ଦେହରେ କିରାସିନି ଢାଳି ନିଆଁ ଲଗାଇବା ସମୟରେ ସେଠାରେ ଥିବା ପୁଲିସ୍ ତାଙ୍କୁ ଧରି ପକାଇଥିଲା | ହତୋତ୍ସାହିତ ହେଇ ଦିବାକର କହିଛନ୍ତି, ବର୍ଷ ବର୍ଷ ଧରି ମୁଁ ଦରମା ପାଉନି | ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଛି | କିନ୍ତୁ ଟଙ୍କାଟେ ଦେଉ ନାହାନ୍ତି | ମୁଁ ବଞ୍ଚିବି କେମିତି? ମୋ ଆତ୍ମାକୁ ଖୁବ୍ ବାଧୁଛି |

Related Articles

Leave a Reply

Your email address will not be published.

Back to top button