ଭୁବନେଶ୍ୱର ସାଇନ୍ସ ସିଟି ନିର୍ମାଣ ପାଇଁ ନିଆଯିବ ପରାମର୍ଶ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ମର୍ମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାରେ ଥିବା ସାଇନ୍ସ ସିଟିର ନିର୍ମାଣ ଶୈଳୀ ଓ କାର୍ଯ୍ୟଦକ୍ଷତା ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଗତ ସପ୍ତାହରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିହାର ଗସ୍ତ କରି ପାଟନା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ବିଜ୍ଞାନ ସିଟି ପରିଦର୍ଶନ କରିଥିଲେ । ଏଥିସହ ଏହି ଗସ୍ତ ସମୟରେ ସେ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଏବଂ ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଆମ ରାଜ୍ୟରେ ଭୁବନେଶ୍ୱରରେ ୧୦୦ ଏକର ଯାଗାରେ ନିର୍ମାଣ ହେବାକୁ ଥିବା ଉକ୍ତ ସାଇନ୍ସ ସିଟିରେ ଆଧୁନିକ ପ୍ରଦର୍ଶନୀ, ନୀମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା, ଉଦ୍ଭାବନ ଓ ଶିକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସାଇନ୍ସ ସିଟି ନିର୍ମାଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବ ଏବଂ ବିହାର ରାଜ୍ୟର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଆମ ରାଜ୍ୟକୁ ଆମନ୍ତ୍ରଣ କରାଯିବ । ଆବଶ୍ୟକ କ୍ରମେ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।