ଲାଗୁ ହେବ ସୁଭଦ୍ରା ଯୋଜନା, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷକୁ ମିଳିବ ଦଶ ହଜାର

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ଏହି ଯୋଜନା ଚଳିତ ବର୍ଷଠାରୁ ପ୍ରଦାନ କରାଯିବ। ଏ ନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଗତକାଲି ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷରୁ ଏହା ଲାଗୁ କରିବା ପାଇଁ ନିଷ୍ପତି କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଯୋଜନା ବାବଦରେ କହିଛନ୍ତି ଯେ, ଯୋଗ୍ୟ ମହିଳାମାନଙ୍କୁ ପାଞ୍ଚ ବର୍ଷ ପାଇଁ ମୋଟ ପଚାଷ ହଜାର ଟଙ୍କା ମିଳିବ। ପ୍ରତି ବର୍ଷ ଦଶ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ଗୋଟିଏ କିସ୍ତି ରାକ୍ଷୀ ପୂର୍ଣିମାରେ ଏବଂ ଅନ୍ୟଟି ମହିଳା ଦିବସରେ ପାଞ୍ଚହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନା 2029 ମସିହା ପର୍ଯ୍ୟନ୍ତ ଲାଗୁ ହେବ। ଏଥିରେ ଯେଉଁ ମହିଳାଙ୍କ ବୟସ 21 ବର୍ଷ ରୁ ଅଧିକ ଏବଂ 60 ବର୍ଷରୁ କମ ହୋଇଥିବ ସେମାନଙ୍କୁ ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ଓଡିଶାର ପ୍ରାୟ 1 କୋଟିରୁ ଉର୍ଦ୍ଧ ମହିଳାମାନେ ଉପକୃତ ହେବେ। ସେଥିପାଇଁ ମୋଟ 55,825 କୋଟି ଟଙ୍କା ବ୍ୟୟ ହେବ ବୋଲି ଧର୍ଯ୍ୟ କରାଯାଇଛି। ତେବେ ପ୍ରତି ପଞ୍ଚାୟତ କିମ୍ବା ଏନଏସିରୁ ମାତ୍ର 100 ଜଣ ମହିଳାଙ୍କୁ ଚିହ୍ନଟ କରାଯାଇ ଏହି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଯେଉଁ ମହିଳାମାନେ ଆୟକର, ଚାକିରୀ କିମ୍ବା ସ୍ବଚ୍ଛଳ ବର୍ଗର ହୋଇଥିବେ ସେମାନେ ଏହି ଯୋଜନାରୁ ବାଦ ପଡିବେ। ତେବେ ଏ ନେଇ ଖୁବ ଶିଘ୍ର ଅନଲାଇନ ଆବେଦନ ସୁଭଦ୍ରା ନାମରେ ଖୋଲାଯିବ। ଯେଉଁ ମହିଳାମାନେ ନିଜକୁ ଯୋଗ୍ୟ ବୋଲି ଭାବୁ ଥାନ୍ତି ସେମାନେ ଅଙ୍ଗନବାଡି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର କିମ୍ବା ବ୍ଲକରେ ଆବେଦନ କରିପାରିବେ। ଏଥିପାଇଁ ଖୁବଶିଘ୍ର ଏକ କଲ ସେଣ୍ଟର ମଧ୍ୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button