ଭୁବନେଶ୍ୱରରେ ‘ସୁଭଦ୍ରା ଶକ୍ତି ସମାରୋହ’ ଅନୁଷ୍ଠିତ: ମହିଳା ସଶକ୍ତୀକରଣ ଓ ସୁସ୍ଥ ଜୀବନଧାରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ନାକାଗେଟ୍ ସ୍ଥିତ ତପୋବନ ସ୍କୁଲ ସାହିଠାରେ ‘ସୁଭଦ୍ରା ଶକ୍ତି ସମାରୋହ ୨୦୨୬’ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଗଠନ ‘ଦି ହ୍ୟୁମାନିଟି’ ଏବଂ ‘ତପସ୍ୟା ମହିଳା ମହାସଂଘ’ର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କୋଭିଡ୍ ପରବର୍ତ୍ତୀ ସମୟରେ ମହିଳା ଓ ଶିଶୁମାନଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥିବା ପ୍ରଭାବ ତଥା ବଢ଼ୁଥିବା ପାରିବାରିକ ହିଂସା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ସମାରୋହରେ ଆଲୋଚନା ହୋଇଥିଲା । ମହିଳାମାନଙ୍କୁ ସୁରକ୍ଷିତ ଓ ସୁସ୍ଥ ଜୀବନଧାରଣ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ସଶକ୍ତ ମହିଳା ନେତୃତ୍ୱ ଓ ଉନ୍ନତ ଜୀବିକା ସୃଷ୍ଟି କରିବା ଏହି ପ୍ରୟାସର ମୂଳ ଲକ୍ଷ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଏହି ଉତ୍ସବରେ ଭରତପୁର ଥାନାର ଭାରପ୍ରାପ୍ତ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ‘ଦି ହ୍ୟୁମାନିଟି’ର ସମ୍ପାଦକ ସଚ୍ଚିକାନ୍ତ ପ୍ରଧାନ ଏବଂ ‘ତପସ୍ୟା ମହିଳା ମହାସଂଘ’ର ସମ୍ପାଦିକା ଶ୍ରୀମତୀ ମିନତୀ ପ୍ରହରାଜ, ଯୋଗେନ୍ଦ୍ର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।



