ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳା: ୨୭୬ କୋଟି ଟଙ୍କା ମୂଲ୍ୟର ୫୮ଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପରିଚାଳନା କମିଟିର ସଦସ୍ୟ ଓ ସାଧୁମାନଙ୍କ ସହିତ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିରେ ମାରୁଦାଗୋଚ୍ଛା ଠାରେ ୫୫୭ କୋଟି ଟଙ୍କାରେ ନଦୀଗର୍ଭ ଜଳାଶୟ ନିର୍ମାଣ, ୧୧.୨୩ କୋଟି ଟଙ୍କାରେ ସଂସ୍କୃତି ଭବନ ଠାରେ ଓପନ୍ ଏୟାର ଥିଏଟର ନିର୍ମାଣ, ୨୫.୨୮ କୋଟି ଟଙ୍କାରେ ଗାନ୍ଧୀ ଷ୍ଟାଡିଅମର ନବୀକରଣ, ୪.୨୩ କୋଟି ଟଙ୍କାରେ ବ୍ଲକ୍ ଛକ ଜଙ୍କସନ ରୋଡ୍ର ଉନ୍ନତି କରଣ କାର୍ଯ୍ୟ ରହିଛି ।



