ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍‌ ଫାଉଣ୍ଡେସନ୍‌ର ମଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଥିଲେ ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ସେ ଥିଲେ ସମ୍ପୂର୍ଣ କ୍ରାନ୍ତିର ମହାନାୟକ । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ । ତାଙ୍କର ଉଚ୍ଚ ଆଦର୍ଶ ଓ ବଳିଷ୍ଠ ନେତୃତ୍ୱ ଭାରତୀୟ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ରାଜନୈତିକ ଆଦର୍ଶ ଏବଂ ଏକଛତ୍ରବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଅମର ହୋଇ ରହିବେ । ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ତାଙ୍କର ବଳିଦାନ ସମଗ୍ର ଦେଶର ଜନମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ଏବଂ ତତ୍‌କାଳୀନ ରାଜନୈତିକ ସାମାଜିକ ପରିବେଶରେ ସଂଗ୍ରାମର ଏକ ନୂତନ ଆଲୋକ ଉନ୍ମେଷ ହୋଇଥିଲା । ସେହିପରି ଦେଶର ସ୍ୱାଧୀନତା ପାଇଁ ୧୨ ବର୍ଷର ବାଳକ ବାଜିରାଉତ ବୀରତ୍ୱର ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ତାହା ଓଡ଼ିଶା ଇତିହାସରେ ଚିର ଜାଜ୍ଜୁଲ୍ୟମାନ ରହିବ । ବାଜି ରାଉତଙ୍କ ପୈତୃକ ଗ୍ରାମ ନୀଳକଣ୍ଠପୁରର ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ଅର୍ଥରାଶିରେ ପାଠାଗାର, ପାର୍କ, ମୁ୍ୟଜିୟମ୍‌ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତିକରଣ କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button