ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାପାଇଁ ଉପସ୍ଥିତ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ପ୍ୟାରେଡରେ ସାମିଲ ହୋଇଥିବା ଯବାନଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ, ଶ୍ରୀ ମିଶ୍ର ଶପଥ ପାଠ କରାଇଥିଲେ। ଏହା ସହ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍ଵାଧୀନତା ପରେ 562ଟି ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ଵାନ ଦେଇଥିଲେ। ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଦମନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିଥିଲେ।
 
				 
					


