ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ସମ୍ବଲପୁର ଆଇଆଇଏମ୍ ସହ ବୁଝାମଣାପତ୍ର ସ୍ଵାକ୍ଷର

ଭୁବନେଶ୍ଵର: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ପୂଜା ମିଶ୍ର ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ଜୈବ-ଅର୍ଥନୀତି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ବିଚାରକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆଇଆଇଏମ୍, ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯିବ। ଜୈବ-ଅର୍ଥନୀତି ରିପୋର୍ଟ ବିକଶିତ କରିବା, ଏ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନ ଓ ବିକାଶ ସୁଯୋଗର ମୂଲ୍ୟାୟନ କରି ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ, ବିଶେଷ କରି ଜୈବ-ଅର୍ଥନୀତି ଏବଂ ସାଧାରଣ ଭାବେ ଆର୍ଥିକ ଅଭିବୃଦ୍ଧି ଦିଗରେ ଏକ ମାନଦଣ୍ଡ ଭାବେ ଉଭାହେବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ବିତ୍ତ ପରାମର୍ଶଦାତା ଶ୍ରୀମତୀ ବିଦୁ୍ୟତପ୍ରଭା ରାଉତ, ଉର୍ମିପ୍ରଭା ମହାରଣା, ଆଇଆଇଏମ୍, ସମ୍ବଲପୁରର ଅଧ୍ୟାପକ ଆର୍.କେ. ପାଢ଼ୀ ଏବଂ ସନ୍ଦୀପ ମୁଖୋପାଧ୍ୟାୟଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।