ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍‍ଗାହ ପରିସରର ସର୍ଭେ କରାଯିବ: ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‍ଗାହ ବିବାଦୀୟ କମ୍ପ୍ଲେକ୍ସର ସର୍ଭେ କରାଯିବ। ଆହ୍ଲାବାଦ ହାଇକୋର୍ଟ ଆଜି ଏହି ରାୟ ଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ସର୍ଭେ ପାଇଁ ଜଣେ କୋର୍ଟ କମିଶନର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ମୁସଲିମ୍ ପକ୍ଷ ଅର୍ଥାତ୍ ଓ୍ଵାକଫ୍ ବୋର୍ଡର ଯୁକ୍ତିକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ଏହି ପିଟିସନ୍ ବିଚାରଯୋଗ୍ୟ ନୁହେଁ।

ହାଇକୋର୍ଟର ବିଚାରପତି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ନଭେମ୍ବର ୧୬ରେ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ଦିନ ବିବାଦୀୟ କମ୍ପ୍ଲେକ୍ସର ୧୮ଟି ଆବେଦନ ମଧ୍ୟରୁ ୧୭ଟିର ଶୁଣାଣି ହୋଇଥିଲା। ଏହି ସମସ୍ତ ଆବେଦନକୁ ଶୁଣାଣି ପାଇଁ ମଥୁରା ଜିଲ୍ଲା ଅଦାଲତରୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ହାଇକୋର୍ଟଙ୍କ ରାୟ ପରେ କୋର୍ଟ କମିଶନର ଏବେ ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍‍ଗାହର ୧୩.୩୭ ଏକର ବିବାଦୀୟ ଜମିର ସର୍ଭେ କରିବେ। ଏହି ସର୍ଭେ ୨୦୨୧ ମେ ମାସରେ ବାରଣାସୀର ଜ୍ଞାନବାପିରେ ହୋଇଥିବା କମିଶନର ସର୍ଭେ ଭଳି ହେବ। ଏଥିରେ କୋର୍ଟ କମିଶନରଙ୍କ ଟିମ୍ ସେଠାକୁ ଯାଇ ପ୍ରମାଣ ସଂଗ୍ରହ କରି କୋର୍ଟକୁ ରିପୋର୍ଟ ଦେବେ।

ହାଇକୋର୍ଟଙ୍କ ରାୟ ପରେ ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ଆଜି ଆମେ ମଥୁରାରେ ୧୩.୩୭ ଏକର ବିବାଦୀୟ ଜମି ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କର ବୋଲି ଦାବି କରିଥିଲୁ। ମସଜିଦକୁ ଭୁଲଭାବେ ଦଖଲ କରାଯାଇଛି। ସେହି ଦଖଲକୁ ହଟାଇବା ଦରକାର। ୧୨ ଅକ୍ଟୋବର ୧୯୬୮ ର ଚୁକ୍ତିକୁ ଅବୈଧ ଘୋଷଣା କରାଯିବ। କୋର୍ଟ କମିଶନରଙ୍କ ସର୍ଭେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ କୋର୍ଟରେ ଦାବି କରିଥିଲୁ। କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କମିଶନରଙ୍କ ଟିମରେ କେତେ ଜଣ ସଦସ୍ୟ ରହିବେ? ସେଠାରେ କିଏ ରହିବ? ଆପଣ ସର୍ବେକ୍ଷଣ କେବେ କରିବେ? କେମିତି ହେବ ଫଟୋ-ଭିଡିଓଗ୍ରାଫି? ଡିସେମ୍ବର ୧୮ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣିରେ ଏସବୁ ଉପରେ ନିଷ୍ପତ୍ତି ନିଆଯିବ।

Related Articles

Leave a Reply

Your email address will not be published.

Back to top button