ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା: ୯ ଭକ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଏକାଦଶୀ ଅବସରରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକ ବଡ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କାର୍ତ୍ତିକ ମାସରେ ଦର୍ଶନ ପାଇଁ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଆସିଥିଲେ। ଭକ୍ତଙ୍କ ଭିଡ଼ ଏତେ ବଢ଼ି ଯାଇଥିଲା ଯେ, ସ୍ଥାନୀୟ ପ୍ରଶାସନ ଏବଂ ମନ୍ଦିର ପରିଚାଳନା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନଥିଲେ। ଯାହା ଫଳରେ ଦଳାଚକଟା ହୋଇଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “କାଶିବୁଗାର ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଘଟିବା ଅତ୍ୟନ୍ତ ଦୁଃଖଦ। ଜୀବନହାନି ହୃଦୟ ବିଦାରକ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି।” ଆହତମାନଙ୍କୁ ତୁରନ୍ତ ଏବଂ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ପୁନର୍ବାସ ପ୍ରୟାସ ତଦାରଖ କରିବାକୁ କହିଛନ୍ତି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button