ବିଦେଶ ଗସ୍ତରେ ବାଚସ୍ପତି

ଭୁବନେଶ୍ୱର: ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍ ଗସ୍ତରେ ଯାଇଥିବାବେଳେ ବ୍ରିଜଟାଉନଠାରେ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଶୀର୍ଷକ ଆଲୋଚନାରେ ନିଜ ବକ୍ତବ୍ୟରେ କହିଲେ ଯେ ବିଶ୍ୱରେ ଭାରତ ଏକ ବୃହତ ଗଣତନ୍ତ୍ର ହୋଇ ମଧ୍ୟ ୧୯୯୫ରେ ପାର୍ଲାମେଣ୍ଟରେ ୧୫ ପ୍ରତିଶତ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ଆଜି ୩୦ ବର୍ଷ ପରେ ମଧ୍ୟ ଏହି ପ୍ରତିନିଧିତ୍ୱ ହାର ୨୭ ପ୍ରତିଶତରେ ରହିଛି । ଏହା ନିଶ୍ଚିତ ଭାବେ ଆମର ନେତୃତ୍ୱ ନେବା କ୍ଷେତ୍ରରେ ଆମର ଅସମାନତାକୁ ସୂଚାଉଛି । ଦେଶରେ ମହିଳା ନେତୃତ୍ୱକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜାତୀୟ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଆଇନ ପ୍ରଣୟନ ହୋଇଛି । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ମହିଳାମାନେ ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ର, ବୈଷୟିକ କ୍ଷେତ୍ରଠାରୁ ମହାକାଶ ଅଭିଯାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ସଫଳ ସାବ୍ୟସ୍ତ ହୋଇପାରିଛନ୍ତି । ମହିଳା ସଶକ୍ତିକରଣ ହେଉଛି ସମୟର ଆହ୍ୱାନ ଓ ଆଜିର ଆବଶ୍ୟକତା । ଏହାକୁ ଏକ ଦାତବ୍ୟ କାର୍ଯ୍ୟ ବୋଲି ବିବେଚନା କରିବା ଅନୁଚିତ । ଏକ ସମୃଦ୍ଧ ରାଷ୍ଟ୍ରଗଠନରେ ମହିଳାମାନଙ୍କର ଅଂଶଗ୍ରହଣ ଓ ଭାଗୀଦାରି ଖୁବ୍ ଗୁରୁତ୍ୱପୂର୍ଣ୍ଣ ।