’ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି’: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଜାତୀୟ ମହାକାଶ ଦିବସ ଅବସରରେ ନୂଆଦିଲ୍ଲୀର ପୁସା ସ୍ଥିତ ଆଇସିଏଆରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଗବେଷଣା ଏବଂ ବିକାଶ’। ଏହି ଅବସରରେ ଆଇସିଏଆର୍ ମହାନିର୍ଦ୍ଦେଶକ ଡ. ଏମ୍ ଏଲ୍ ଜାଟ୍ ଏବଂ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଶ୍ରୀ ଚୌହାନ କହିଥିଲେ ଯେ ଆଇସିଏଆର୍ ରେ ଜାତୀୟ ମହାକାଶ ଦିବସ ପାଳନ ହେବା ଦେଖିବାକୁ ସେ ଅତ୍ୟନ୍ତ ଉତ୍ସୁକ। ମହାକାଶ ବିଜ୍ଞାନ ମାଧ୍ୟମରେ ଆମେ ଭାରତ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଛୁ। ଆମେ ସମସ୍ତେ ଜାଣୁ ଯେ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ କେତେ ଗୁରୁତ୍ୱପୂର୍ଣ୍ଣ-ଏବଂ ଆମକୁ ଏହାକୁ ଆହୁରି ଆଗକୁ ନେବାକୁ ପଡିବ ବୋଲି ସେ କହିଥିଲେ । ବୈଜ୍ଞାନିକମାନଙ୍କୁ “ଆଧୁନିକ ଋଷି” ବୋଲି ଅଭିହିତ କରି ଶ୍ରୀ ଚୌହାନ କହିଥିଲେ, “ଆମେ କୃଷିକୁ, ଏହାର ଦିଗକୁ ଏବଂ କୃଷକମାନଙ୍କ ଜୀବନକୁ ପରିବର୍ତ୍ତନ କରିଛୁ। ଆମେ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛୁ। ଆମେ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହାସଲ କରିଛୁ ଏବଂ ମହାକାଶ ବିଜ୍ଞାନ ଏଥିରେ ଏକ ଅତୁଳନୀୟ ଯୋଗଦାନ ଦେଇଛି। ଫସଲ ଉତ୍ପାଦନ ଆକଳନ, ଫସଲ ପ୍ରଣାଳୀ, ଗହମ, ଧାନ, ସୋରିଷ, କପା, ଆଖୁ ଉତ୍ପାଦନ, ଏକର ଆକଳନ ଠାରୁ ଆରମ୍ଭ କରି ପାଣିପାଗ ସୂଚନା ପର୍ଯ୍ୟନ୍ତ-ମହାକାଶ ପ୍ରୟୋଗ ଏବେ କୃଷି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସେ କହିଥିଲେ ଯେ ପୂର୍ବରୁ ପାଣିପାଗ ପୂର୍ବାନୁମାନ ଲୋକକଥା ଏବଂ ଅନୁମାନ ଉପରେ ନିର୍ଭର କରୁଥିଲା, କିନ୍ତୁ ଆଜି ଇସ୍ରୋର ଜିଓ ପୋର୍ଟାଲ ବର୍ଷା, ମରୁଡ଼ି ଏବଂ ପାଣିପାଗ ବିଷୟରେ ପ୍ରାୟ ସଠିକ୍ ସୂଚନା ପ୍ରଦାନ କରୁଛି। “କୃଷକମାନେ ବର୍ତ୍ତମାନ ଏହାକୁ ଆଧାର କରି ସେମାନଙ୍କର ଚାଷ ଯୋଜନା କରୁଛନ୍ତି। ଏହି ପୋର୍ଟାଲ ମୃତ୍ତିକାର ଆର୍ଦ୍ରତା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥାଏ, ଫସଲ ସ୍ୱାସ୍ଥ୍ୟ ତଥ୍ୟକୁ ସମନ୍ୱିତ କରିଥାଏ ଏବଂ ସଠିକ୍ ସୂଚନା ପ୍ରଦାନ କରିଥାଏ। ଶ୍ରୀ ଚୌହାନ ଉଲ୍ଲେଖ କରିଥିଲେ ଯେ କୃଷକମାନଙ୍କ ଦ୍ୱାରା ଅପଲୋଡ କରାଯାଇଥିବା ଫଟୋରୁ କୀଟପତଙ୍ଗ ଚିହ୍ନଟ କରିବା ଏବଂ ପ୍ରକୃତ ସମୟରେ ଗହମ ନିରୀକ୍ଷଣ, ବୁଣିବା ଏବଂ ଅମଳ କ୍ଷେତ୍ରର ଆକଳନ ପାଇଁ ଜ୍ଞାନକୌଶଳ ବିକଶିତ କରାଯାଇଛି। କୃଷି ମନ୍ତ୍ରଣାଳୟର ପରିସଂଖ୍ୟାନ ଏବେ ଏନ୍ଆରଏସସି ର ସିଆରଓପି. ଢାଞ୍ଚା (ଫସଲ ପ୍ରଗତି ଉପରେ ବ୍ୟାପକ ରିମୋଟ ସେନ୍ସିଂ ପର୍ଯ୍ୟବେକ୍ଷଣ) ସହିତ ମେଳ ଖାଉଛି। ନାସା-ଇସ୍ରୋ ର ନିଶାର ଅଭିଯାନ ଦ୍ୱାରା ମୃତ୍ତିକାର ଆର୍ଦ୍ରତା, ଫସଲର ସ୍ୱାସ୍ଥ୍ୟ ଏବଂ ଜୈବବସ୍ତୁର ସଠିକ୍ ଆକଳନ ଛୋଟ ସ୍ଥାନରୁ ବଡ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ସମ୍ଭବ ହୋଇପାରିଛି।