ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା: ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା। ଏଥିରେ ଗିରଫ ଅନ୍ୟତମ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ଏହି ମାମଲାରେ ତାଙ୍କ ସମ୍ପୃକ୍ତିକୁ ବିରୋଧ କରି ଓ ଏଥିରୁ ତାଙ୍କୁ ମୁକ୍ତି ଦେବାକୁ ପ୍ରାର୍ଥନା କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଜ୍ୟୋତିପ୍ରକାଶଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବା ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ଫଳରେ ଜ୍ୟୋତିପ୍ରକାଶଙ୍କ ବିରୋଧରେ ଏବେ ମାମଲା ଚାଲିବା ସ୍ପଷ୍ଟ ହୋଇଯାଇଛି । ମାମଲାରୁ ଜଣାଯାଇଛି ଯେ, ସୌମ୍ୟାଶ୍ରୀ ୨୦୨୫ ଅଗଷ୍ଟରେ କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ସୌମ୍ୟାଶ୍ରୀ ନିଜେ ଦେହରେ ନିଆଁ ଲଗାଉଥିବା ସମୟରେ ଜ୍ୟୋତିପ୍ରକାଶ ଏହି ଘଟଣାର ଭିଡିଓ ସୁଟିଂ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ସୌମ୍ୟଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ୍‌ ଜ୍ୟୋତିପ୍ରକାଶଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ନିଜର ସମ୍ପୃକ୍ତି ନଥିବା ଦର୍ଶାଇ ସେ ପ୍ରଥମେ ବାଲେଶ୍ୱର ସେସନ୍ସ ଜଜ୍‌ରେ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ନିମ୍ନ ଅଦାଲତ ୨୦୨୫ ଡିସେମ୍ବର ୨୦ରେ ଜ୍ୟୋତିପ୍ରକାଶଙ୍କ ପିଟିସନ୍‌କୁ ଖାରଜ କରି ଦେଇଥିଲେ । ଫଳରେ ଏହି ଆଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏହି ଘଟଣାରେ ସମସ୍ତ ଅଭିଯୋଗ ସମୀର କୁମାର ସାହୁ ଏବଂ ଦିଲ୍ଲୀପ କୁମାର ଘୋଷଙ୍କ ନାମରେ କରାଯାଇଛି । ତେଣୁ ଆବେଦନକାରୀ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ଲାଗୁ ହେଉନାହିଁ । ତେବେ ରାଜ୍ୟ ସରକାର ଆବେଦନକାରୀଙ୍କ ବିରୋଧରେ ସିସିଟିଭି, ସିଡିଆର ଆଦି ଥିବା ଉଲ୍ଲେଖ କରିଥିଲେ । ହାଇକୋର୍ଟ କହିଛନ୍ତି ଯେ, କୌଣସି ମାମଲାରେ ଚାର୍ଜଫ୍ରେମ୍‌ ବେଳେ ମିନି ଟ୍ରାଏଲ୍‌ କରାଯାଇ ପାରିବ ନାହିଁ । ବିଭିନ୍ନ ତଥ୍ୟରୁ ଆବେଦନକାରୀ ସୌମ୍ୟାଶ୍ରୀଙ୍କ ଜଳିବା ସମୟର ଭିଡିଓ ଜ୍ୟୋତି ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ପ୍ରମାଣ ରହିଛି । ଆବେଦନକାରୀଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବାରୁ ଏହି କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button