ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି

ନୂଆଦିଲ୍ଲୀ:   କେନ୍ଦ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ତଥା ନିରାପତ୍ତା ଲାଗି ଏସ୍‌ଓପି ଆଣିବେ । ଶନିବାର ରାତିରେ ୟୁପିର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ୍‌ ଅହମ୍ମଦ ଓ ତାର ଭାଇ ଅଶ୍ରଫ (ଖଲିଦ ଅଜିମ୍‌)କୁ ୩ ଜଣ ଦୁର୍ବୃତ୍ତ ଟିଭି ସାମ୍ବାଦିକ ବେଶରେ ଆସି ଗୁଳିକରି ହତ୍ୟା କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ଚିଠା ଏସ୍‌ଓପି ପ୍ରସ୍ତୁତ କରାଯିବ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୁଲିସ ହାଜତ କିମ୍ବା ନ୍ୟାୟିକ ହାଜତରେ ଥିବା ଜଣେ ଅପରାଧୀର ସାକ୍ଷାତକାର ଆଣିବା ସମୟରେ ସାମ୍ବାଦିକ କ’ଣ କରିବେ ଓ କ’ଣ ନ କରିବେ ଏବଂ ସେମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯାଇପାରିବ ଏହି ଏସ୍‌ଓପିରେ ତାର ନୀତି ନିର୍ଦ୍ଦେଶାବଳୀ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନ ଆଧାରରେ ଏଭଳି ଚିଠା ଏସ୍‌ଓପି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ତେବେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୭ ଅକ୍ଟୋବର ୨୦ରେ ମନ୍ତ୍ରଣାଳୟ ସବୁ ରାଜ୍ୟମାନଙ୍କୁ ଚିଠି ଲେଖି ସାମ୍ବାଦିକମାନେ ଯେଭଳି ନିରାପଦ ତଥା ଶାନ୍ତିପୂର୍ଣ୍ଣ ପରିବେଶରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଥିଲା । ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚିଠିରେ କୁହାଯାଇଥିଲା । କିନ୍ତୁ ନୂଆ ଏସ୍‌ଓପି ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ସହ ସରକାର ପରାମର୍ଶ କରିବେ କି ନାହିଁ ତାହା ଜଣାପଡିନାହିଁ । ହେଲେ ଏସ୍‌ଓପି ନାଁରେ ସରକାର ସାମ୍ବାଦିକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରୁଥିବା କିଛି ସଙ୍ଗଠନ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button