ଏସ୍ଆଇ ନିଯୁକ୍ତି ମହାଦୁର୍ନୀତି :୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଓଡ଼ିଶାରେ ପୁଲିସ ସବ୍-ଇନ୍ସପେକ୍ଟର୍ (ଏସ୍ଆଇ) ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ୧୧୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବ୍ରହ୍ମପୁର ଜିଲ୍ଲା ଓ ସେସନ୍ସ ଜଜ୍ କୋର୍ଟ ଖାରଜ କରିଛନ୍ତି। କୋର୍ଟ ଏହି ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଗିରଫ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୧୧୪ ଜଣ ପ୍ରାର୍ଥୀ ଏବଂ ୫ ଜଣ ମଧ୍ୟସ୍ଥି ରହିଛନ୍ତି। ଏହି ନିଯୁକ୍ତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚ୍ ଜାରି ରଖିଛି। ତଦନ୍ତରେ ପ୍ରାଥମିକ ପ୍ରମାଣ ଅନୁଯାୟୀ, ଏସ୍ଆଇ ନିଯୁକ୍ତି ଦୁର୍ନୀତି ପଛରେ ଏକ ସଂଗଠିତ ଅପରାଧୀ ସିଣ୍ଡିକେଟ୍ର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି। ବ୍ରହ୍ମପୁର ଜିଲ୍ଲା ଓ ସେସନ୍ସ ଜଜ୍ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ୍ ଏହି ଦୁର୍ନୀତିର ମୂଳ ଉପରେ ଗଭୀର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।