ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜୀଉ: ସୁନାବେଶ ଦେଖି ଭକ୍ତ ବିଭୋର
ଭୁବନେଶ୍ୱର : ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ହେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ମହାପ୍ରଭୁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ଼ ପାବନଧାମ ପୁରୀ ସ୍ଥିତ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ନିମନ୍ତେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା ।
ଅପରାହ୍ନ ୪ଟା ୪୫ରୁ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସାହାଯ୍ୟ କରିଥିଲେ । ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଜି ଦ୍ୱିପ୍ରହର ଧୂପ (ଶୁଖିଲି ଭୋଗ) ପରେ ଠାକୁର ମାନଙ୍କୁ ମଇଲମ କରାଯାଇଥିଲା । ମଇଲମ ପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୋଇଥିଲେ ଚତୁର୍ଦ୍ଧାମୂରତି । ପରେ ଫୁଟାଲାଗି (ଟାଇଟ୍ ବସ୍ତ୍ର ପରିଧାନ) ହୋଇଥିଲେ । ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥିଲା । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଆଦି ସମ୍ପାଦନା ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥିଲେ । ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇଥିଲେ । ତିନି ଠାକୁର ଧାରଣ କରିଥିଲେ ଭିନ୍ନ ଭିନ୍ନ ଅଳଙ୍କାର । କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ୱର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଅସ୍ଥାୟୀ ଭଣ୍ଡାର ଗୃହରୁ ବା ଚାଙ୍ଗୁଡ଼ି ଘରରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକମାନେ, ମାଜିଷ୍ଟ୍ରେଟ, ପୁଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥିଲେ । ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯାଇଥିଲା । ମହାବାହୁ ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୋଇଥିଲେ । ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି କରାଯାଇଥିଲା ।
ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ ମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତ ବର୍ଗର ଭକ୍ତଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାର ଠାରେ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇପଡୁଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ମନଲୋଭା ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିଲା । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ପଡ଼ିଥିଲା । ସୁନାବେଶ ଦର୍ଶନ ପାଇଁ ଭକ୍ତ ମାନେ ଯେପରି କୌଣସି ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା । ଏଥି ସହ ଭକ୍ତମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଥିଲା । ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା ହୋଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ନନ୍ଦିଘୋଷ ରଥ ବାମପାର୍ଶ୍ୱରୁ ରଥ ଆଗ ଦେଇ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ଛାଡ଼ି ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱରେ ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା । ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସଂଯୋଗ ରାସ୍ତାକୁ ମଧ୍ୟ ପୁଲିସ ପ୍ରଶାସନ ଦ୍ୱାରା ସିଲ୍ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଥିଲା ।
ପୌରାଣିକ କଥାବସ୍ତୁ ଅନୁଯାଇ :
ରାଜା ଅନଙ୍ଗଭୀମଦେବ ଓଡ଼ିଆଙ୍କ ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରିଥିଲେ । ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣା କରି ରାଜଭିଷେକ ମଧ୍ୟ କରିଥିଲେ । ଏହି ଲାବଣ୍ୟମୟ ସୁବର୍ଣ୍ଣ ବେଶ କେବେ ଠାରୁ ଆରମ୍ଭ ହେଲା, ତାହା ଠିକ୍ ଭାବେ କହିବା କଷ୍ଟକର । ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶକୁ ସର୍ବଧର୍ମ, ସର୍ବମତବାଦର ଜନସାଧାରଣ ଓ ଭକ୍ତଗଣ ଆନନ୍ଦରେ ଦର୍ଶନ କରିଥାନ୍ତି । ସେଥିପାଇଁ ଏହିଦିନ ରଥଯାତ୍ରା ଭଳି ଶ୍ରୀକ୍ଷେତ୍ରରେ ଗହଳି ଲାଗିଥାଏ । ରଥ ଉପରେ ହେଉଥିବା ସୁନାବେଶର ନାମ ହେଉଛି ବଡ଼ତଢାଉ ବେଶ । ବଡ଼ତଢାଉ ବେଶ ସମ୍ପର୍କରେ ଜଣାଯାଏ, ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ଜୟଦୁର୍ଗାଙ୍କ କୃପାରୁ ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ଗଜପତି ମହାରାଜାଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ଆଗ୍ରହ ଲକ୍ଷ୍ୟକରି ବଡ଼ତଢାଉ ସେବକ ଶ୍ରୀଛାମୁରେ ଜଣାଇଥିଲେ ଯେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବର୍ଷକ ମଧ୍ୟରେ ହେଉଥିବା ସକଳ ବେଶକୁ ସମସ୍ତ ବର୍ଗର ଲୋକେ ଦର୍ଶନ କରିପାରୁନାହାନ୍ତି । ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ବାହୁଡ଼ାଦିନ ରଥତ୍ରୟ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତା’ ପରଦିନ ରଥ ଉପରେ ଠାକୁର ମାନଙ୍କୁ ସର୍ବ ସମ୍ମୁଖରେ ସୁନାବେଶରେ ସୁସଜ୍ଜିତ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ । ବଡ଼ତଢାଉ ସେବକଙ୍କ ଅନୁରୋଧ କ୍ରମେ ସେହିଦିନ ଠାରୁ ରାଜା କପିଳେନ୍ଦ୍ରଦେବ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଠାକୁର ମାନଙ୍କୁ ରଥ ଉପରେ ବଡ଼ ଏକାଦଶୀ ଦିନ ଚିତ୍ତାକର୍ଷକ ସୁନାବେଶ କରାଇଥିଲେ । ତେଣୁ ଏହି ସୁନାବେଶ ବଡ଼ତଢାଉ ବେଶ ନାମରେ ବିଦିତ ହୋଇଆସୁଛି ।