ପୁରୀରେ ଭକ୍ତଙ୍କ ଆକର୍ଷଣ ପାଲଟିଛି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଦର୍ଶନୀ

ଭୁବନେଶ୍ବର: ପୁରୀଠାରେ ଅନୁଷ୍ଠିତ ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା ପ୍ରାଙ୍ଗଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେଉଛି । ଉକ୍ତ ଫଟୋଚିତ୍ର ପ୍ରଦର୍ଶନୀରେ ଚଳିତବର୍ଷର ଚନ୍ଦନଯାତ୍ରା, ରଥ ନିର୍ମାଣ ଓ ସ୍ନାନଯାତ୍ରାର ଫଟୋ ସ୍ଥାନିତ ହେବା ସହିତ ଗତବର୍ଷ ରଥଯାତ୍ରାର ଅନ୍ୟାନ୍ୟ ଫଟୋ ପ୍ରଦର୍ଶିତ ହୋଇଛି। ଏତଦ୍‌ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ଓ ଭୋଗ, ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ବିରଳ ଫଟୋଚିଚ୍ର, ବିଭିନ୍ନ ସମୟରେ ଶ୍ରୀମନ୍ଦିରର ରୁପରେଖ ସମ୍ପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ଚଳିତ ବର୍ଷର ନେତ୍ରୋତ୍ସବରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସଂକ୍ଷିପ୍ତ ନୀତିନିର୍ଘଣ୍ଟ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥି ସହିତ, ରାଜ୍ୟସରକାରଙ୍କ ଲୋକାଦୃତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଐତିହ୍ୟସ୍ଥଳୀ ଓ ପୁରାତନ ମନ୍ଦିରଗୁଡିକର ରୁପାନ୍ତରଣ, ଭାରତର କ୍ରୀଡ଼ା ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କ ଅବଦାନ, ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ଗମନାଗମନ, ମହିଳା ସଶକ୍ତିକରଣ, ଜନଜାତି ଉନ୍ନୟନ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ ଦକ୍ଷତା ବିକାଶ ଓ ବଜାରସୁବିଧା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପାଇଁ ସାମାଜିକ ସୁରକ୍ଷା ଆଦି ସମେତ ମୋ ଘର, ମଧୁବାବୁ ପେନସନ ବିତରଣ ଦିଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ବିଏସ୍‌କେୱାଇ ସମ୍ପର୍କିତ ବିସ୍ତୃତ ତଥ୍ୟ ସମ୍ବଳିତ ବୋର୍ଡ଼ ଗୁଡିକୁ ଦର୍ଶକମାନେ ବହୁଳଭାବେ ପସନ୍ଦ କରୁଛନ୍ତି। ଗତ ୧୯ ତାରିଖରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପ୍ରଦର୍ଶନୀ ମଣ୍ଡପକୁ ପ୍ରତ୍ୟହ ୧୫ ହଜାରରୁ ଅଧିକ ଦର୍ଶକ ଆସି ଗୋଟିଏ ସ୍ଥାନରେ ଉଭୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଆହରଣ କରିବା ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button