ଦ୍ୱିତୀୟ ଟି-୨୦: ଭାରତକୁ ୫୧ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ମୁଲ୍ଲାନ୍ପୁରର ମହାରାଜ ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ସାଉଥ୍ ଆଫ୍ରିକା ୫୧ ରନ୍ରେ ଭାରତକୁୁ ହରାଇ ଦେଇଛି । ଭାରତୀୟ ଟିମ୍କୁ ବିଜୟ ୨୧୪ ରନ୍ର ଲକ୍ଷ୍ୟ ମିଳିଥିବା ବେଳେ ପୂରା ଟିମ୍ ୧୯.୧ ଓଭର୍ରେ ମାତ୍ର ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଏହି ବିଜୟ ସହ ସାଉଥ୍ ଆଫ୍ରିକା ପାଞ୍ଚ ମ୍ୟାଚ୍ର ସିରିଜ୍ ୧-୧ରେ ବରାବର କରିଛି । ଦୁଇ ଟିମ୍ ମଧ୍ୟରେ ତୃତୀୟ ମ୍ୟାଚ୍ ରବିବାର ଧର୍ମଶାଳାରେ ଖେଳାଯିବ । ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରଥମ ଖରାପ ଥିଲା । ଶୁଭମନ୍ ଗିଲ୍ ଖାତା ଖୋଲିବା ପୂର୍ବର ହିଁ ପ୍ରଥମ ଓଭର୍ରେ ଲୁଙ୍ଗି ଏନ୍ଗିଡିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଅନ୍ୟତମ ଓପ୍ନର୍ ଅଭିଷେକ ଶର୍ମା (୧୭ ରନ୍)ଙ୍କୁ ମାର୍କୋ ଜାନ୍ସେନ୍ ପରବର୍ତ୍ତୀ ଓଭର୍ରେ ପ୍ୟାଭିଲିୟନ୍ ଫେରାଇଥିଲେ । ଏହାପରେ ଜାନ୍ସେନ୍ ଭାରତୀୟ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ (୫ ରନ୍)ଙ୍କ ମଧ୍ୟ ୱିକେଟ୍ ନେଇଥିଲେ । ୩୨ ରନ୍ରେ ୩ ୱିକେଟ୍ର ପତନ ପରେ ଅକ୍ଷର ପଟେଲ୍ ଓ ତିଳକ ବର୍ମା ଚତୁର୍ଥ ୱିକେଟ୍ ପାଇଁ ୩୫ ରନ୍ର ପାର୍ଟନରଶିପ୍ କରିଥିଲେ । ଅକ୍ଷର ୧୦୦ ଷ୍ଟ୍ରାଇକ୍ ରେଟ୍ରେ ୨୧ ରନ୍ କରିଥିବା ବେଳେ ଓଟନିଲ୍ ବାର୍ଟମ୍ୟାନ୍ ତାଙ୍କୁ ଆଉଟ୍ କରିଥିଲେ । ତେବେ ତିଳକ ବର୍ମା କ୍ରିଜ୍ରେ ତିଷ୍ଠିରହି ୨୭ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ସାଥ୍ ମିଳିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲ୍ରେ ୨୦ ରନ୍ କରିପାରିଥିଲେ । ଜିତେଶ ଶର୍ମା (୧୭ ରନ୍) ଲୁଥୋ ସିପାମ୍ଲାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଶିଭମ୍ ଦୁବେଙ୍କୁ ବାର୍ଟମ୍ୟାନ୍ ମାତ୍ର ୧ ରନ୍ର ସ୍କୋର୍ରେ ଆଉଟ୍ କରିବା ପରେ ଅର୍ଶଦୀପ୍ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ୟାଭିଲିୟନ୍ ଫେରାଇଥିଲେ । ଶେଷ ୱିକେଟ୍ ଭାବେ ତିଳକ ବର୍ମା ଏନ୍ଗିଡିଙ୍କ ଶିକାର ହୋଇଥିଲେ । ତିଳକ ୩୪ ବଲ୍ରେ ଦୁଇ ଚୌକା ଓ ପାଞ୍ଚ ଛକା ସହାୟତାରେ ୬୨ ରନ୍ କରିଥିଲେ । ସାଉଥ୍ ଆଫ୍ରିକା ପକ୍ଷର ବାର୍ଟମ୍ୟାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଏନ୍ଗିଡି, ଜାନ୍ସେନ୍ ଓ ସିପମ୍ଲାଙ୍କୁ ୨-୨ ସଫଳତା ମିଳିଥିଲା ।



