କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଜଗମୋହନରୁ ବାଲି କାଢ଼ିବା ଲାଗି ପ୍ରକିୟା ଆରମ୍ଭ ହୋଇଛି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍‌ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍‌ ମ୍ୟାପ୍‌ କୁ ତଦାରଖ କରିବା ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ନିରୀକ୍ଷଣ କରିଥିଲେ । ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାର୍ଶ୍ବରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍‌ ନିର୍ମାଣ ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବୋଟିକ୍‌ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଓ ପରିମାଣ ଆକଳନ କରାଯାଇଥିଲା ।ଏବେ ଡ୍ରିଲିଂ ମେସିନ୍‌ରେ ମନ୍ଦିର କାନ୍ଥରେ ଟନେଲ୍‌ ଖୋଳା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ଟନେଲ୍‌ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି, ଭିତର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ବାଲି କଢ଼ାଯିବ ବୋଲି କହିଛନ୍ତି ଏଏସ୍‌ଆଇ ପୁରୀ ସର୍କଲ ଅଧୀକ୍ଷକ ଡିବି ଗଡ଼ନାୟକ ।ସୂଚନାଯୋଗ୍ୟ, ଇଂରେଜମାନଙ୍କ ରାଜୁତି ସମୟରେ ସୂର୍ଯ୍ୟମନ୍ଦିରରୁ ଗୋଟିଏ ପରେ ଗୋଟିଏ ପଥର ଖସୁଥିଲା । ଏହାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ୧୯୦୩ରୁ ୧୯୦୯ ମଧ୍ୟରେ ଜଗମୋହନ ଗର୍ଭଗୃହରେ ବାଲି ଭର୍ତ୍ତି କରି ଏହାର ସମସ୍ତ ପ୍ରବେଶପଥଗୁଡ଼ିକୁ ବନ୍ଦ କରିଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button