ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍ ଛାଡି ପଳାଇଥିଲା । ଏହାକୁ ମିଶାଇ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଫେବୃୟାରୀ ୧୬ରେ ରମା ନାଏକ ନାମକ ଜଣେ ମହିଳାକୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ମଞ୍ଚେଶ୍ୱର ଥାନାରେ ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଥିଲା । ଘଟଣା ପରଠାରୁ ରମା ନାଏକ ଫେରାର ଥିଲା । ପୋଲିସ ତାକୁ ଧରିବା ପାଇଁ ଖୋଜୁଥିଲା । ବାର୍ତ୍ତାମାନ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକକୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା । ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ଅନ୍ୟପଟେ ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଡିସିପି କହିଥିଲେ, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା ।