ରାଉରକେଲା ବିମାନ ଦୁର୍ଘଟଣା: ଘରକୁ ଫେରିଲେ ପାଇଲଟ୍

ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାରେ ନୂଆ ଅପଡେଟ୍ । ସୁସ୍ଥ ହୋଇ ଘରକୁ ଫେରିଲେ ବିମାନ ପାଇଲଟ୍ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ ନବୀନ କଡଙ୍ଗା । ଗତ ୧୦ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ୍ ନବୀନ । ଆଜି ଦୀର୍ଘ ୧୦ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ । ଆଜି ସୁସ୍ଥ ହୋଇ ଘରକୁ ଫେରିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟ ଦେଇଛନ୍ତି । ତେବେ ଗ୍ରାମବାସୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ । ପାଇଲଟଙ୍କ ମୁଣ୍ଡ ସହ ପିଠି ଏବଂ ମୁହଁରେ ଲାଗିଥିଲା ପ୍ରବଳ ଆଘାତ। ବିଭିନ୍ନ ସର୍ଜରୀ ପରେ ଆଜି ସୁସ୍ଥ ହୋଇ ଫେରିଛନ୍ତି ପାଇଲଟ ନବୀନ କଡଙ୍ଗା । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଇଣ୍ଡିଆ -୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲା। ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ । ଆହତ ଏକ ଦମ୍ପତ୍ତି ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ନିକଟରେ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ବାକି ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା ଓ ତରୁଣ ଶ୍ରୀବାସ୍ତବ ଏବଂ ଦୁଇ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଓ ଅନିତା ସାହୁଙ୍କ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଥିଲା । ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା ।



