ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ RI ଅଫିସ, ବୁର୍ଲାରେ ଖୋଲିବ ତହସିଲ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଆଗକୁ ପ୍ରତ୍ୟେକ ପଞ୍ଚାୟତ ଅଫିସରେ ଗୋଟିଏ ଆରଆଇ ଅଫିସ କରିବାକୁ ଲକ୍ଷ୍ୟ ରଖା ଯାଇଛି । 2 ଟା ପଞ୍ଚାୟତକୁ ଗୋଟିଏ ଆରଆଇ ଅଫିସ ଓ ପରେ ଗୋଟିଏ ପଞ୍ଚାୟତରେ ଗୋଟିଏ ଆରଆଇ ଅଫିସ ଖୋଲିବ, ଏଥିସହ ଗୁଡିଏ ଆରଆଇ ଓ ଅମିନ ନିଯୁକ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ସମ୍ବଲପୁର ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ରାଜସ୍ବ ମନ୍ତ୍ରୀ । ବୈଠକରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ପ୍ରମୁଖ ମଧ୍ୟ ଉପସ୍ଥିତ ଥିବା ବେଳେ ଜିଲ୍ଲାରେ ରାଜସ୍ବ ସେବା ତଥା ବିକାଶ ନେଇ ସମୀକ୍ଷା ବୈଠକ ହୋଇଥିଲା l ବୈଠକରେ ମନ୍ତ୍ରୀ କହିଥିଲେ, ” ଆଗାମୀ ଦିନରେ ଲୋକଙ୍କୁ ଉତ୍ତମ ସେବା ଦେବା ପାଇଁ ସମ୍ବଲପୁର ତହସିଲ 2 ଭାଗରେ ବିଭକ୍ତ ହେବ । ହୀରାକୁଦ ଓ ବୁର୍ଲା ସହରକୁ ନେଇ ବୁର୍ଲାରେ ଏକ ନୂତନ ତହସିଲ ଗଠିତ ହେବାକୁ ଯାଉଛି । ଏହା ସହ ରାଜଧାନୀ ଭୁବନେଶ୍ୱରକୁ ଆଗାମୀ ଦିନରେ 3 ଟି ତହସିଲରେ ବିଭକ୍ତ କରାଯିବାକୁ ଥିବା ବେଳେ କଟକକୁ 2 ଟି ତହସିଲ କରାଯିବ । କେଉଁ କେଉଁ ଅଞ୍ଚଳକୁ ନେଇ କଟକ ଓ ଭୁବନେଶ୍ୱରର ତହସିଲ ବିଭକ୍ତ ହେବ ତାହା ଏହି ସପ୍ତାହ ଭିତରେ ନିଷ୍ପତି ହୋଇଯିବ । ଏହା ସହ ଆଗାମୀ ଦିନରେ ଗୁଡିଏ ଆରଆଇ ଓ ଅମିନ ନିଯୁକ୍ତି କରାଯିବ ଓ ପ୍ରତ୍ୟେକ ପଞ୍ଚାୟତ ଅଫିସରେ ଗୋଟିଏ ଆରଆଇ ଅଫିସ କରିବାକୁ ଲକ୍ଷ୍ୟ ରଖା ଯାଇଛି । ପ୍ରଥମେ 2 ଟା ପଞ୍ଚାୟତରେ ଗୋଟିଏ ଆରଆଇ ଅଫିସ ଓ ପରେ ଗୋଟିଏ ପଞ୍ଚାୟତ ରେ ଗୋଟିଏ ଆରଆଇ ଅଫିସ ଖୋଲିବା ଲକ୍ଷ୍ୟ ରହିଛି ।”



