ଆସନ୍ତାକାଲିଠୁ ୩ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ଭୁବନେଶ୍ବର: ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । ଆସନ୍ତାକାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମାର୍ଚ୍ଚ ୯ରୁ ୧୫ ଯାଏଁ ଅର୍ଥାତ ଫଗୁଦଶମୀରୁ ହୋଲି ଉତ୍ସବ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ତାର ମରାମତି କାର୍ଯ୍ୟ ରହିଥିଲା । ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ସମୟ ଭିତରେ ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତିରେ ବାଧା ସୃଷ୍ଟି ହେଉଛି । କାମ ତ୍ୱରାନ୍ୱିତ ହୋଇପାରୁନାହିଁ । ତେବେ ନୀତି ସଅଳ ସାରିବାକୁ ଚେଷ୍ଟା କରୁଥିବା ସେବାୟତ କହିଛନ୍ତି । ଭିତର ରତ୍ନଭଣ୍ଡାରର ମରାମତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର । ବାହାର ରତ୍ନଭଣ୍ଡାର କାନ୍ଥରେ ଚୂନ ଛଡ଼ା ଯାଉଛି । ମରାମତି ଅତି ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ ବିଳମ୍ବ ହେଉ ପଛେ ଠିକ୍ ଭାବରେ କାମ କରାଯାଉଛି ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ।