ଅନ୍ୟ ବିଭାଗ ସହିତ ସମନ୍ୱୟ ରଖି କାମ କରିବାକୁ ଆରଡି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ୍ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ। ଏହି ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଜଡିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ। ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ମଧ୍ୟ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି। ଅଦାଲତ ସମ୍ବନ୍ଧୀୟ କେସ୍ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରି କର୍ମଚାରୀମାନଙ୍କ ଗ୍ରାଚୁଇଟି, ପେନସନ ଆଦିକୁ ସହଜ କରିବା ପାଇଁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ। ବିଭାଗର ଲ ଅଫିସରମାନେ ପେଣ୍ଡିଂ କେଶଗୁଡିକୁ ତ୍ୱରାନ୍ୱିତ କରି ଫଇସଲା ଦିଗରେ ଯନିବାନ ହେବାକୁ ପରାମର୍ଶ ଦେଇଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ଯଥା ସମୟରେ ତ୍ୱରିତ ସମାଧାନପୂର୍ବକ ଅନୁପାଳନ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇବା ସେ‰ କିଛି ଡିଭିଜନ୍ ଧାର୍ଯ୍ୟ ବ୍ୟୟ ଲକ୍ଷରେ ପହଞ୍ଚି ପାରି ନାହାନ୍ତି।
ସରକାରଙ୍କ ଦ୍ୱାରା ଚଳିତ ଡିସେମ୍ବର ସୁଦ୍ଧା ଧାର୍ଯ୍ୟ ବ୍ୟୟ ୬୦ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନ ଏହା ୪୯.୧୮ ପ୍ରତିଶତ ରହିଛି। ଏଣୁ ଡିଭିଜନମାନଙ୍କୁ ଦିଆ ଯାଇଥିବା ଅନୁଦାନର ବ୍ୟୟ ଚଳିତ ମାସ ଶେଷ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସମସ୍ତ ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ। ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯନିବାନ ହେବା ଆବଶ୍ୟକ।
ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଆଗାମୀ ଜାନୁୟାରୀ ସୁଦ୍ଧା ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା ଡିପିଆର ଦାଖଲ କରିବାକୁ କହିଥିଲେ।
ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ପ୍ରକଳ୍ପ ଅନୁମୋଦନ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ସମୟାନୁକ୍ରମେ ସଠିକ ଅନୁଧ୍ୟାନ କରି ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇ ପାରୁଛି ସେଗୁଡିକୁ ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ବାକି ରହି ଯାଇଥିବା ଡିପିଆର ଫାଇନାଲ କରିବାକୁ ପରାମର୍ଶ ଦେଇଥିଲେ।
୨୦୨୩-୨୪ ଆର୍ଥିକ ବର୍ଷରେ ନିଆଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ସର୍ଭେ ଇନ୍ଭେଷ୍ଟିଗେସନ ସମାପ୍ତ ହୋଇଥିବାବେଳେ ୧୦ ଗୋଟି ପ୍ରକଳ୍ପର ଜିଏଡି ଅନୁମୋଦନ ସ୍ଥଗିତ ଅଛି, ଯାହା ଚଳିତ ମାସ ଶେଷ ସୁଦ୍ଧା ସମାଧାନ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପ ଆସନ୍ତା ଜାନୁୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ।