ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ

ଭୁବନେଶ୍ବର: ସଂସ୍କୃତି, କଳା ଓ ସୃଜନଶୀଳତାର ମହାମିଳନ ଭାବେ ପରିଚିତ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଭବ୍ୟ ଓ ଆନନ୍ଦମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି ମହୋତ୍ସବର ମର୍ଯ୍ୟାଦାକୁ ଆହୁରି ବୃଦ୍ଧି କରିଥିଲା। ଉଦଯାପନୀ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଭାରେ ମସ୍ଚ୍ୟ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତିକ ଉତ୍ସବଗୁଡ଼ିକ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖେ ବୋଲି କହିଥିଲେ। କୋରେଇ ବିଧାୟକ ଆକାଶ ଦାଶ ନାୟକ ମୁଖ୍ୟ ବକ୍ତା ଭାବେ ରଣପୁରର ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ସଫଳ କରିବାରେ ଆୟୋଜକମାନଙ୍କ ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ। ଅପରାହ୍ନରେ ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ଦ୍ୱାରା ପରିଚାଳିତ କୁଇଜ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇ ନିଜ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା ଓ ଅର୍ଜୁନ ରାଉତଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାବେଳେ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଶେଷକରି ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆରିୟା ଅମ୍ରିତାଙ୍କ ନୃତ୍ୟ ପ୍ରସ୍ତୁତି ଦର୍ଶକଙ୍କ ଠାରୁ ଭରପୁର ତାଳି ଲୁଟିଥିଲା।



