ଭୟାବହ ଦୁର୍ଘଟଣାର କାରଣ ସମ୍ପର୍କରେ କହିଲେ ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟାବହ ଦୁର୍ଘଟଣା କିପରି ହେଲା ସେ ନେଇ ସାରା ବିଶ୍ବବାସୀ ଅନାଇ ରହିଛନ୍ତି। କାରଣ ତିନୋଟି ଟ୍ରେନ ମଧ୍ୟରେ ଧକ୍କା ସହିତ ଶହଶହ ଯାତ୍ରୀଙ୍କ ଜୀବନ ହାନି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଚାରିଆଡେ ଚର୍ଚ୍ଚା ଏପରି ଏକ ବଡ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ ଦାୟୀ କିଏ।  ଏହି ପ୍ରଶ୍ନ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି। ଏପରି କ୍ଷେତ୍ରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଇଲୋଟ୍ରୋନିକ ଇଣ୍ଟରଲିକିଂର ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଲା। ତେବେ ଏଥିପାଇଁ ଯିଏ ଦାୟୀ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏ ନେଇ ଅଧିକ ପଚରାଉଚୁରା କରାଯାଉଛି। ଖୁବ୍‌ ଶୀଘ୍ର ଏ ନେଇ ରିପୋର୍ଟ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏ ନେଇ ରେଲବାଇ ପକ୍ଷରୁ ଯେଉଁ ତଦନ୍ତ ଚାଲିଥିଲା ତାହା ମଧ୍ୟ ଶେଷ ହୋଇଛି। ଏ ନେଇ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ପ୍ରକାଶ ପାଇବ। ସେଥିରେ ଜଣାପଡିବ ଯେ, ପ୍ରକୃତରେ ଏହି ଦୁର୍ଘଟଣାର କାରଣ କ’ଣ। ଏଥିସହିତ ରେଳ କବଚ କଥା ଯାହା କୁହାଯାଉଛି ତାହା ସହିତ ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନାହିଁ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ ବାଲେଶ୍ବରରେ କ୍ୟାମ୍ପ କରି ରହିଛନ୍ତି। ସେଠାରେ ସେ ଯାତ୍ରୀ ଉଦ୍ଧାର କାର୍ଯ୍ୟ ସହିତ ବଗି ଉଠାଯିବା କାର୍ଯ୍ୟ ନିଜେ ତଦାରଖ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ। ଦିନରାତି କର୍ମଚାରୀମାନେ ମରାମତି କାମରେ ଲାଗିଛନ୍ତି। ଖୁବ ଶିଘ୍ର ଏହି ମରାମତି କାମ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମସ୍ତଙ୍କ ପାଇଁ ବଡ ସମସ୍ୟା ହୋଇଯାଇଛି। ଆଜି ଭୁବନେଶ୍ୱରକୁ ୧୬୦ଟି ମୃତଦେହକୁ ସ୍ଥାନାନ୍ତରିତ କରାଯାଇଛି। ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button