ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର: ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ବର: ଜରାଜୀର୍ଣ୍ଣ ଅବସ୍ଥା ପୁରୀରେ ପଡିରହିଥିବା ଅନ୍ନପୂର୍ଣ୍ଣା ରଂଗମଞ୍ଚର ପୁନଃଉଦ୍ଧାର କରାଯିବ। ପୁଣିଥରେ ହସିବ ଏହି ରଂଗମଞ୍ଚ। ଏ ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ଟାଟା କନସଲ୍ଟିଂ ଇଞ୍ଜିନିୟରସ୍ ଲିମିଟେଡ ଦ୍ୱାରା ଏହାର ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ପୁନଃନିର୍ମାଣ କାର୍ଯ୍ୟ ଓବିସିସି ଦ୍ବାରା କରାଯିବ। ଅନ୍ନପୂର୍ଣ୍ଣ ରଂଗମଞ୍ଚ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଭାରତୀୟ ସାଂସ୍କୃତିକ ପରମ୍ପରାରେ ଏକ ସମୃଦ୍ଧ ଓ ଗୌରବମୟ ସ୍ଥାନ ଅଧିକାର କରିଛି। ପୁନଃନିର୍ମାଣ ପରେ ଏହି ଥିଏଟର ଓଡ଼ିଶାର ଲୋକକଳା, ନାଟ୍ୟ ଶୈଳୀ, ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ଲମ୍ବୋଦରପୁର ଗ୍ରାମରେ ଜନ୍ମ ନେଇଥିବା ଏହି ଥିଏଟର ଏକଦା ସାରା ରାଜ୍ୟରେ ଚହଲ ପକାଇଥିଲା। ଏହି ବୈଠକରେ ଓ.ବି.ସି.ସି.ର ମୁଖ୍ୟ ମହାପ୍ରବନ୍ଧକ ଇଂ ଆଲୋକ କୁମାର ନାଏକ, ଟାଟା କନସଲ୍ଟିଂ ଇଞ୍ଜିନିୟରସ୍ ଲିମିଟେଡର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।



