ସଡକ ନିର୍ମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୋଗ ଉପରେ ଗୁରୁତ୍ୱାରୋପ କଲେ ପ୍ରମୁଖ ଶାସନ ସଚିବ ଉଷା ପାଢୀ

ଭୁବନେଶ୍ଵର: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ସଡକ ନିର୍ମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସହରାଞ୍ଚଳର ନିରନ୍ତର ବିକାଶ ପାଇଁ ପରିବେଶ ଅନୁକୂଳ ଭିତ୍ତିଭୂମି ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ। ବୋତଲ, କ୍ୟାରି ବ୍ୟାଗ୍ ଭଳି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁଗୁଡିକୁ ଉତ୍ତପ୍ତ ବିଟୁମେନରେ ମିଶ୍ରଣ କରି ତାହାକୁ ରାସ୍ତା ନିର୍ମାଣରେ ଅନାୟସରେ ବ୍ୟବହାର କରାଯାଇପାରିବ। ରାଜ୍ୟର ବାତାବରଣକୁ ପ୍ରଦୂଷଣମୁକ୍ତ ଓ ପରିବେଶ ଅନୁକୂଳ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏଥିପାଇଁ ନୂଆ ନୂଆ କୌଶଳ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି। ବୈଠକରେ ବିଡିଏ ଉପାଧ୍ୟକ୍ଷ ଡକ୍ଟର ଏନ ତିରୁମାଲା ନାୟକ, ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ ଜେ. ପି. ବର୍ମା, ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ସଚିବ ବିନୟ ଦାସ ଏବଂ ସହରାଞ୍ଚଳ ପ୍ରକଳ୍ପ ସହ ଜଡିତ ବିଭିନ୍ନ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ।