ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ: ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ବର: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍‌ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢା ସମୟର ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ। ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚୋକୋଟୀର ହେବ। ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ। ନିଜର ଆତ୍ମ ବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି। ଆଉ ଆତ୍ମ ବିଶ୍ବାସ ଆସିଥାଏ ସତ କହିବା ଦ୍ବାରା। ଏହା କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସର ତତ୍ତ୍ବ ବୁଝାଇଥିଲେ । ସେ କହିଥିଲେ ଯେ, ପାଠ ପଢିବା ପାଇଁ ଆରାମ ଦାୟକ ପରିବେଶର ଆବଶ୍ୟକତା ନାହିଁ, ଯଦି ପାଠ ପଢିବା ପାଇଁ ପ୍ରକୃତ ଇଛାଶକ୍ତି ଓ ମନୋବୃତ୍ତି ଥିବ, ତେବେ ସବୁ ପରିବେଶ ଆରାମ ଦାୟକ। ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ କଥା ହେଉ ହେଉ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ସଂଘର୍ଷ, ସଫଳତା ଏବଂ ଲାଇଫ୍ ସ୍କିଲ୍ ବିଷୟରେ ପିଲାଙ୍କୁ ବୁଝାଇ କହିଥିଲେ ଯେ, ଜୀବନ ଜିଇଁବା ପାଇଁ ସବୁବେଳେ ଭବିଷ୍ୟତ କଥା ଚିନ୍ତାକରି ଆଗକୁ ବଢିବା ଉଚିତ୍। ତାହେଲେ ଯାଇ ଆପଣଙ୍କୁ ଆପଣଙ୍କ ୱିନିଙ୍ଗ୍ ଗୋଲ୍ ସ୍ପଷ୍ଟ ଦେଖାଯିବ। ଏହି ଅବସରରେ ଅଭିଭାବକ ମାନଙ୍କୁ ଉପଦେଶ ଦେଇ ସେ କହିଥିଲେ ଯେ ପିଲାମାନଙ୍କୁ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ପ୍ରେରଣା ଦିଅନ୍ତୁ। ପିଲାଙ୍କର ଚାରିତ୍ରିକ ବିକାଶ, ଶୃଙ୍ଖଳା ଜ୍ଞାନ ଏ ସବୁ ନିଜ ଘରେ, ନିଜ ପାରିବାରିକ ପରିବେଶରେ ହିଁ ବୃଦ୍ଧି ହୁଏ। ଏଣୁ, ପିଲାଦିନରୁ ହିଁ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରନ୍ତୁ, ଦେଖିବେ, ପ୍ରତ୍ୟେକ ଶିଶୁ ଜଣେ ଉଦୀୟମାନ ଛାତ୍ର ଭାବେ ଉଭା ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button