କର୍ତ୍ତବ୍ୟ ଭବନର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ । କର୍ତ୍ତବ୍ୟ ଭବନ ୩ରେ କମନ ସେଣ୍ଟ୍ରାଲ ସେକ୍ରେଟରିଏଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ଉଭୟ ସ୍ଵରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରିବ । ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ । ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ତେଣୁ କର୍ତ୍ତବ୍ୟପଥରେ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ କର୍ତ୍ତବ୍ୟ ଭବନ । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି । କର୍ତ୍ତବ୍ୟ ଭବନରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ, ଡିଓପିଟି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଫିସ ରହିବ । ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି । କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି । ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ଶକ୍ତି ସଂରକ୍ଷଣରେ ସାହାଯ୍ୟ କରିବ । ଏଥିରେ ଛାତରେ ଥିବା ସୌର ପ୍ୟାନେଲଗୁଡ଼ିକ ପ୍ରତିବର୍ଷ ୫.୩୪ ଲକ୍ଷ ୟୁନିଟ୍ ରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିରେ ୬୦୦ ଗାଡ଼ି ପାର୍କିଂ କରିବେ । ଏହି ଭବନରେ ୨୪ଟି ମେନ କନଫରେନ୍ସ ରୁମ୍ ଏବଂ ୨୬ ଛୋଟ କନଫରେନ୍ସ ରୁମ ରହିଛି ।