ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରଠାରେ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଏବଂ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ବ୍ଲାକ ସ୍ୱାନ ସମ୍ମିଳନୀ, ଭାରତରେ ଯୋଗ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆମେ ଏପରି ଏକ ସମୟରେ ବଞ୍ଚୁଛୁ ଯେତେବେଳେ ପ୍ରଯୁକ୍ତିବିଦ୍ୟା ଅଭୂତପୂର୍ବ ଗତିରେ ବିକଶିତ ହେଉଛି। ନୂତନ ଉଦ୍ଭାବନ ଏତେ ଦ୍ରୁତ ଗତିରେ ହେଉଛି ଯେ ଆମର ବ୍ୟବସ୍ଥା, ଦକ୍ଷତା ଏବଂ ବ୍ୟବସାୟିକ ମଡେଲଗୁଡ଼ିକ ପ୍ରାୟତଃ ଏହା ସହ ତାଳ ଦେବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ, ଏପରି ଦ୍ରୁତ ପ୍ରଗତିଗୁଡ଼ିକ ସାଇବର ସୁରକ୍ଷା ବିପଦ, ଡିପ୍ ଫେକ୍, ଭୁଲ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବର୍ଦ୍ଧିତ ନିର୍ଭରଶୀଳତା ସମେତ ଗମ୍ଭୀର ଆହ୍ୱାନ ମଧ୍ୟ ନେଇ ଆସୁଛି। ତଥାପି, ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ନବସୃଜନ ଏବଂ ଅଭିବୃଦ୍ଧି ଉପରେ ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇଥାଏ। ଏଭଳି ସ୍ଥିତିରେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, ନିଜ କ୍ଷମତାକୁ ଆହୁରି ବୃଦ୍ଧି କରିବା ଲାଗି ଦକ୍ଷତାକୁ ଉପଯୋଗ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଡିଜିଟାଲ୍ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ନିମନ୍ତେ ଅଭିନବ ପଦ୍ଧତିଗୁଡ଼ିକୁ ଅନୁସନ୍ଧାନ କରାଯାଇପାରିବ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।



