ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ହେବାକୁ ଥିବା ଏହି କର୍ମଶାଳାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ “ନ୍ୟାସନାଲ ମେଡିଏସନ କର୍ମଶାଳା”ରେ ଯୋଗ ଦେବାକୁ ଥିବା ଅତିଥି, ସେମାନଙ୍କ ରହଣି, ଆତିଥେୟତା ଓ କର୍ମଶାଳା ଆୟୋଜନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭିନ୍ନ ସମୟରେ ଛୋଟୋମୋଟ କାରଣ ନେଇ ଲୋକମାନେ କୋଟ କଚେରୀର ଦ୍ଵାରସ୍ଥ ହେଉଛନ୍ତି । ଏଥିଯୋଗୁଁ ନ୍ୟାୟାଳୟ ଉପରେ ଅଯଥା ଚାପ ବଢିବା ସହିତ ପ୍ରକୃତ ନ୍ୟାୟ ମିଳିବାରେ ବହୁ ବିଳମ୍ବ ହେଉଛି । କେବଳ ଏହି କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଫଇସଲା ମଧ୍ୟ ବିଳମ୍ବିତ ହେଉଛି । ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ମଧ୍ୟସ୍ଥତା ମାଧ୍ୟମରେ ମକଦମା ଗୁଡିକର ଆପୋସ ସମଧାନ ଏକ ଉତ୍ତମ ମାର୍ଗ । ଆସନ୍ତା ୨୮ ତାରିଖରେ ଏଠାରେ ହେବାକୁ ଥିବା ଜାତୀୟ କର୍ମଶାଳ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ପ୍ରଥମ ଥର ଲାଗି ଏଠାରେ ଆୟୋଜିତ ଏହି କର୍ମଶାଳାକୁ ସଫଳ କରିବା ସହ ଯୋଗ ଦେଉଥିବା ପ୍ରତିନିଧିମାନେ ଯେପରି ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ଓ ଆତିଥେୟତାର ଭଲ ସ୍ମୃତି ନେଇ ପ୍ରତ୍ୟାବର୍ତ୍ତନ କରିବେ ସେଥିଲାଗି ଯତ୍ନବାନ ହେବା ଲାଗି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button