ପ୍ରାକ୍ ବଜେଟ୍ ପରାମର୍ଶଦାତା ସମ୍ମିଳନୀ, ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୪୦ ହଜାର ନିଯୁକ୍ତି
ଭୁବନେଶ୍ୱର: ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ। ବିଶେଷ କରି ବଜେଟ୍ରେ ଗ୍ରାମାଞ୍ଚଳ ଅଧିବାସୀ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କୁ ଫୋକସ୍ କରାଯାଉଛି। ଏଥିସହିତ ରାଜସ୍ୱ ବୃଦ୍ଧି, ଆଇଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ୍, ଷ୍ଟିଲ୍, ଅକ୍ଷୟ ଶକ୍ତି, ଟେକ୍ସଟାଇଲ୍, ଆଗ୍ରୋ ଇଣ୍ଡଷ୍ଟ୍ରି ଭଳି ଶିଳ୍ପ ସହିତ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି। କୃଷକଙ୍କ ଆୟ ବୃଦ୍ଧି ସହିତ ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକାରୀ କରାଯିବ। ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର ନିଯୁକ୍ତି ଦିଆସରିଛି। ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ୪୦ ହଜାର ନିଯୁକ୍ତି ଦିଆଯିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ଆଲୋଚନା କରିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷର ବଜେଟ୍ କିପରି ଲୋକାଭିମୁଖୀ ହୋଇପାରିବ। ସେନେଇ ବୈଠକରେ ସମସ୍ତେ ନିଜର ବହୁମୂଲ୍ୟ ମତାମତ ଦେଇଛନ୍ତି। ଏ ବାବଦରେ ସାଧାରଣ ଲୋକ ଜାନୁଆରୀ ୩୧ ସୁଦ୍ଧା ଇ-ମେଲ୍ ଓ ହ୍ୱାଟସ୍ ଅପ୍, ୱେବ୍ ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କ ମତାମତ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆମ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କଠାରୁ ବହୁମୂଲ୍ୟ ମତାମତ ଆହ୍ୱାନ କରିଛନ୍ତି। ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶଗୁଡିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍ରେ ସ୍ଥାନୀତ କରାଯିବା ପାଇଁ ପଦକ୍ଷେପ ନିଆଯିବ। ୨୦୨୫-୨୬ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଆମ ସରକାର ୬୫ ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ। ସେଥିପାଇଁ ବଜେଟ୍ ପାଇଁ ଯେଉଁ ମତାମତ ଆସିଛି ତନ୍ମଧ୍ୟରୁ ଲୋକ ହିତକାରୀ ମତାମତ ଗୁଡିକୁ ଫିସ୍କାଲ ରେସ୍ପନ୍ସ ଟିମ୍ ଗୁରୁତ୍ୱ ଦେବ। ଏହି ବଜେଟ୍ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଶ୍ଚିତ ଭାବେ ଏକ ପୂର୍ଣ୍ଣାଙ୍ଗ ରୂପରେ ଆସିବ ବୋଲି ଶ୍ରୀ ମାଝୀ କହିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ରବି ନାରାୟଣ ସେନାପତି, ଉପେନ୍ଦ୍ର ନାଥ ବେହେରା, ବରିଷ୍ଠ ରାଜନେତା ସମୀର ମହାନ୍ତି, ସଜ୍ଜନ ଶର୍ମା ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୪ ଜଣ ବିଶିଷ୍ଠ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତୀୟ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।