ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା, ତାହା ସତରେ ପରିଣତ ହେଲା । ବିଜେଡିରୁ ବହିଷ୍କୃତ ହୋଇଥିବା ଆଉ ଜଣେ ନେତା ଏବେ ପଦ୍ମ ଶିବିରକୁ ଡେଇଁଛନ୍ତି । ସେ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି  ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ନିଜର ଶତାଧିକ କର୍ମୀଙ୍କ ସହ ସେ ‘ଜୟ ଶ୍ରୀରାମ’ ନାରା ଦେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ତେ ଜାଣନ୍ତି ଯେ ଗତ କିଛି ଦିନ ହେଲା ବିଜେଡି ନେତା ଓ କର୍ମୀ ‘ଜୟ ଜଗନ୍ନାଥ’ ନାରା ଦେଉଥିବାବେଳେ ବିଜେପି କର୍ମୀ ଓ ନେତା ‘ଜୟ ଶ୍ରୀରାମ’ ନାରା ଦେଉଛନ୍ତି । ଏହି ସମୟରେ ପ୍ରଶାନ୍ତ  ହସ ହସ ମୁହଁରେ ‘ଜୟ ଶ୍ରୀରାମ’ ନାରା ଦେଇ ପଦ୍ମ ଧରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର କଲେଜର ଛାତ୍ର ସଂସଦ ସଭାପତିଭାବେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ପରିଷଦ ସଭ୍ୟ ଓ ପରେ ପରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମ୍ୟାନ ହୋଇଥିଲେ । ପରେ ବେଗୁନିଆରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ବିଜୁ ଜନତା ଦଳ ପକ୍ଷରୁ ଲଢି ବେଗୁନିଆ ବିଧାୟକ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବେଗୁନିଆ ବିଧାୟକ ଥିଲେ । ୨୦୧୯ରେ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଚିଲିକାରୁ ପ୍ରାର୍ଥୀ କରାଯାଇଥିଲା ଏବଂ ସେ ବାଜିମାତ କରିଥିଲେ । ତେବେ ପରେ ପରେ ତାଙ୍କର ଆଚରଣ ପାଇଁ ସେ ବିବାଦ ଘେରକୁ ଆସିଥିଲେ । ବିଶେଷ କରି ୨୦୨୨ ମସିହା ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଯେଉଁ ଅଘଟଣ ଘଟିଥିଲା ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଲୋକଙ୍କ ଉପରେ ସେ ଗାଡ଼ି ଚଢାଇ ଦେବାକୁ ନେଇ ଦଳ ତାଙ୍କୁ ନିଲମ୍ବନ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ସେହିଦିନ ଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ନଯିବା ପାଇଁ ତାଙ୍କ ଉପରେକ କଟକଣା ଲାଗିଥିଲା । ଏହା ଭିତରେ ଦଳ ତାଙ୍କ ସହ ରହିନଥିଲା କି ସେ ମଧ୍ୟ ଦଳ ସହ ରହିନଥିଲେ । ସୂଚନା ଅନୁଯାୟୀ, ୨୦୨୨  ମାର୍ଚ୍ଚ ୧୨ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଏଥିରେ ପୁଲିସ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ବିଧାୟକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ  । ସେଠାରେ ୧୦ ଦିନ ଧରି ଚିକିସôା ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା  । ପରେ ବାଣପୁର ପୁଲିସ ତାଙ୍କୁ ଗିରଫ କରିଥିଲା ।

Related Articles

Leave a Reply

Your email address will not be published.

Back to top button