ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା: ଏସପି

ଭୁବନେଶ୍ବର: ଗତ କୁମାର ପୂର୍ଣ୍ଣିମା ରାତିରେ ଘଟିଥିବା ଦୁଃଖଦ ଘଟଣାରେ ହତ୍ୟାର ସ୍ବୀକାର ହୋଇଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା। ଦୀର୍ଘ ୧୭ ଦିନ ପରେ ଉକ୍ତ ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇ କୋର୍ଟ ଚାଲାଣ ହୋଇଛନ୍ତି ୧୨ ଜଣ ଅଭିଯୁକ୍ତ। ଏହି ଘଟଣାରେ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୁର୍ବତନ ମେୟର ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ଅଭିଯୁକ୍ତ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଆହୁରି ୩ ଜଣ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ମତବ୍ୟକ୍ତ କରିଛନ୍ତି। ଏହି ଘଟଣା ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା ବୋଲି ଏସ୍ ପି କହିଛନ୍ତି। ସ୍ବର୍ଗତ ପଣ୍ଡା ଓ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁର୍ବରୁ କଂଗ୍ରେସ ଦଳରେ ରାଜନୀତି କରୁଥିଲେ ଓ ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡା ଦଳ ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଥିଲେ। କିନ୍ତୁ ସ୍ବର୍ଗତ ପଣ୍ଡା କଂଗ୍ରେସ ଦଳ ସହିତ ରହିଥିଲେ। ସେହି ସମୟ ଠାରୁ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଆରମ୍ଭ ହୋଇଥିଲା। ଅନ୍ୟ ପକ୍ଷରେ ପୁର୍ବତନ ମେୟର ଶିବଶଙ୍କର ଦାସଙ୍କ ସହ ମଧ୍ୟ ସ୍ବର୍ଗତ ପଣ୍ଡାଙ୍କର ବିଭିନ୍ନ କାରଣରୁ ମତଭେଦ ରହିଥିଲା। ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡାଙ୍କ ସମସ୍ତ କାର୍ଯ୍ୟକୁ ବିରୋଧ କରି ବିଭିନ୍ନ ଗଣମାଧ୍ୟମ ଓ ସଭାସମିତି ଜରିଆରେ ବିଷୋଦଗାର ବିବୃତ୍ତି ପ୍ରଦାନ କରିଥିଲେ। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ି ଚାଲିଥିବା ବେଳେ ଉଭୟ ଶିବଶଙ୍କର ଦାସ ଓ ବିକ୍ରମ ପଣ୍ଡା ମିଶି ପିତବାସଙ୍କୁ ରାସ୍ତାରୁ ହଟାଇବା ଯୋଜନା କରି ବିକ୍ରମ ନିଜର ଦୁଇ ସମର୍ଥକ କର୍ପୋରେଟର ମଳୟ ବିଷୋୟୀ ଓ ଯୁବନେତା ମଦନ ଦଳେଇକୁ ଦାୟିତ୍ଵ ଦେଇଥିଲେ। ମଳୟ ବିଷୋୟୀ ବନ୍ଥପଲୀ ଗ୍ରାମର ପୁରାତନ ଅପରାଧୀ ଉମା ବିଷୋୟୀ ସହିତ ଯୋଗାଯୋଗ କରିଥିଲେ ଓ ଗତ ସେପ୍ଟେମ୍ବର ୧୦ ତାରିଖରୁ ୨୪ ତାରିଖ ମଧ୍ୟରେ ପିତବାସଙ୍କୁ ହତ୍ୟା କରିବା ପାଇଁ ଜଣେ ବିହାରୀ ଯୁବକକୁ ନିୟୋଜିତ କରିଥିଲେ। କିନ୍ତୁ ଉକ୍ତ ଯୁବକଙ୍କ କୌଣସି ପାରିବାରିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ସେ ଚାଲିଗଲା ପରେ ଦୁଇ ସୁପାରୀ କିଲର୍ ତିରୁପତି ଭୁୟାଁ ଓ ଚିଣ୍ଟୁ ପ୍ରଧାନକୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରି କୁମାର ପୁର୍ଣିମା ଦିନ ସଫଳ ହୋଇଥିଲେ। ଏହି ଘଟଣା ପରେ ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଏସ୍ ପି ଉଭୟ ଗୁରୁତର ସହ ପଦକ୍ଷେପ ଗ୍ରହଣ କରି ବିଭିନ୍ନ ଆଧାର ରେ ଅନୁସନ୍ଧାନ ଚଳାଇ ଘଟଣାରେ ଜଡିତ ୧୫ ଜଣ ନାମରେ ମକଦ୍ଦମା ରୁଜୁ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।