ନୀତି ଚୂଡ଼ାନ୍ତ: ୪ଟାରେ ରଥଟଣା

ଭୁବନେଶ୍ବର: ଜୁନ୍‌ ୪ତାରିଖ ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ ୨୦ ତାରିଖ ମଙ୍ଗଳବାର ପୁରୀ ଶ୍ରୀମନ୍ଦିରରେ ଅବସ୍ଥାନ କରୁଥିବା ଶ୍ରୀବିଗ୍ରହଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିୁଚା ଯାତ୍ରା । ଏଣୁ ଶନିବାର ପୂର୍ବାହ୍ନରେ ନୀତି ସବ୍‌କମିଟି ଓ ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ହୋଇ ଠାକୁରଙ୍କ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ସ୍ନାନପୂର୍ଣ୍ଣମୀ ଅପରାହ୍ଣ ୧୨ଟା ୪୫ରୁ ସାଢ଼େ ୨ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ । ରଥଯାତ୍ରାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ସାଢେ ୯ରୁ ସାଢେ ୧୨ଟା ମଧ୍ୟରେ ଶେଷ ହୋଇ ରଥାରୁଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି । ସାଢେ ୨ରୁ ସାଢେ ୩ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବେ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ସେହିଭଳି ୨୮ ତାରିଖ ବୁଧବାର ବାହୁଡ଼ା ଯାତ୍ରାରେ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ନିଯୋଗ କର୍ମକର୍ତ୍ତା ଓ ପ୍ରଶାସକଙ୍କ ବୈଠକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତ ସମ୍ପାଦନ ସହ ସ୍ନାନଯାତ୍ରା ଓ ରଥ ଯାତ୍ରା ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଜୁନ୍‌ ୩ ଶନିବାର ଚତୁର୍ଦ୍ଦଶୀ ପୂର୍ବାହ୍ନ ସାଢେ ୧୧ଟାରେ ଠାକୁରଙ୍କ ସେନାପଟା ଲାଗି ଶେଷ ହେବ । ୧୯ ତାରିଖ ସୋମବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ । ସେଦିନ ସକାଳ ୮ଟାରେ ଅନବସର ତାଟି ଫିଟି ଭିତରକାଠ ନିକଟରୁ ପରମାଣିକ ଦର୍ଶନ ୮ଟାରୁ ୯ଟା ଓ ସର୍ବସାଧାରଣ ଦର୍ଶନ ୯ଟାରୁ ସାଢେ ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ । ରଥ ଖଳାରୁ ରଥ ଟଣା ହୋଇ ସିଂହଦ୍ୱାରକୁ ଆସିବା ପାଇଁ ଠାକୁରଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ଣ ୪ଟା ୧୦ରେ । ରଥ ଯାତ୍ରାରେ ଠାକୁରେ ଗୁଣ୍ଡିଚା ଘରେ ପହଞ୍ଚି ଯଥାବିଧି ନୀତି ହେବ । ଠାକୁରେ ପହଣ୍ଡି ହୋଇ ରଥରୁ ଗୁଣ୍ଡିଚା ଘର ଜନ୍ମବେଦୀରେ ବିଜେ ହେଲା ପରେ ସକାଳ ୫ଟାରୁ ଦ୍ୱାର ଫିଟା ହୋଇ ୬ଟାରେ ମଙ୍ଗଳାଳତି ବଢିବ । ୨୪ ତାରିଖ ଶନିବାର ହେରାପଞ୍ଚମୀରେ ମହାଲକ୍ଷ୍ମୀ ରାତି ସାଢେ ୯ ସୁଦ୍ଧା ଗୁଣ୍ଡିଚା ଘର ସମ୍ମୁଖ ରଥ ନିକଟରେ ଉଭା ହେବେ । ୨୫ ତାରିଖ ରବିବାର ଦକ୍ଷିଣ ମୋଡ଼ ଅବସରରେ ଅପରାହ୍ଣ ସାଢେ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ ହେବ । ୨୭ ତାରିଖ ମଙ୍ଗଳବାର ସନ୍ଧ୍ୟା ଦର୍ଶନ ଅବସରରେ ରାତି ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଜାରି ରହିବ । ଏହାପରେ ଗୁଣ୍ଡିଚା ଘର ଶୋଧ ହୋଇ ଠାକୁରଙ୍କ ବାହୁଡ଼ା ପୂର୍ବ ଦିନ ନୀତି ଆଗେଇବ। ବାହୁଡ଼ାରେ ଠାକୁରେ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଜୁନ୍‌ ୨୯ ତାରିଖ ଗୁରୁବାର ରଥ ଉପରେ ଠାକୁରଙ୍କ ବଡ଼ତଡ଼ାଉ ସୁନାବେଶ ୫ଟାରୁ ଆରମ୍ଭ ହୋଇ ସାଢେ ୬ଟାରେ ସରିବ । ୧୦ଟାରୁ ୧୧ଟା ମଧ୍ୟରେ ସୁନାବେଶ ହେବ । ଜୁନ୍‌ ୩୦ ତାରିଖ ଶୁକ୍ରବାର ରଥ ଉପରେ ରାତି ୮ଟାରେ ଠାକୁରଙ୍କ ଅଧର ନୀତି ଶେଷ ହେବ । ଜୁଲାଇ ୧ ତାରିଖ ଶନିବାର ନୀଳାଦ୍ରି ବିଜେ ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଅପରାହ୍ଣ ୪ଟାରେ ଆରମ୍ଭ ହୋଇ ରାତି ୧୦ ମଧ୍ୟରେ ଶେଷ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।

Related Articles

Leave a Reply

Your email address will not be published.

Back to top button