ହୋଲିରେ ସାଧା ପୋଷାକରେ ବୁଲିବ ପୋଲିସ, ନିୟୋଜିତ ହେବ ୧୭ ପ୍ଳାଟୁନ୍ ଫୋର୍ସ : ଡିସିପି

ଭୁବନେଶ୍ବର: ହୋଲି ଦିନ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କଟକ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା, ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ କଟକ ପୁଲିସ ପକ୍ଷରୁ ସହରରେ ୧୭ ପ୍ଳାଟୁନ୍ ଫୋର୍ସ ନିୟୋଜିତ ହେବ । କଟକ ସହରକୁ ସଂପୂର୍ଣ୍ଣ ସହରକୁ ୨ଟି ସେକ୍ଟର ଓ ୬ ଜୋନ୍ରେ ବଣ୍ଟାଯାଇ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ । ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରମୁଖ ରାସ୍ତାରେ ଥାନାର ଅଧିକାରୀମାନେ ଉପସ୍ଥିତ ରହିବେ । ଥାନା ପିସିଆର ସହିତ ୧୧୨ ଭ୍ୟାନ୍ ଓ ବାଇକ୍ ପିସିଆର୍ ହୋଲି ଖେଳ ଶେଷ ହେବା ପର୍ଯ୍ୟନ୍ତ ସହର ସାରା ପଇଁତରା ମାରିବ । ଏହାଛଡ଼ା ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ଲାଗି ୨ ପ୍ଲାଟୁନ୍ ଫୋର୍ସ ରିଜର୍ଭ ହୋଇ ରହିବ । ୩ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ହୋଲି ଦିନ କଟକ କମିସନରେଟ ଅଧୀନସ୍ଥ ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଖୋଦ୍ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସହର ବୁଲି ସ୍ଥିତି ଯାଞ୍ଚ୍ କରିବେ ।



