‘ମନ କି ବାତ୍‌’ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ଗୁଜବଠାରୁ ଦୂରେଇ ରୁହନ୍ତୁ, ଏକଜୁଟ ହୋଇ ସାମ୍ନା କରିବା ଯୁଦ୍ଧ ସଙ୍କଟ

ନୂଆଦିଲ୍ଲୀ: ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରି ବିଶ୍ୱର ସାମ୍ପ୍ରତିକ ସ୍ଥିତି ଓ ଯୁଦ୍ଧ ସଙ୍କଟ ଉପରେ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ସେ ସତର୍କ କରାଇବା ସହ ସମସ୍ତ ଭାରତୀୟଙ୍କୁ ଏକଜୁଟ ହୋଇ ଏହି ଆହ୍ୱାନର ମୁକାବିଲା କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ଯେଉଁ ଅଞ୍ଚଳରେ ଏବେ ଯୁଦ୍ଧ ଚାଲିଛି, ସେହି ସ୍ଥାନଗୁଡ଼ିକ ଶକ୍ତି ଆବଶ୍ୟକତାର ପ୍ରମୁଖ କେନ୍ଦ୍ର। ଏହି କାରଣରୁ ସାରା ବିଶ୍ୱରେ ତୈଳ ଓ ଗ୍ୟାସକୁ ନେଇ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ବେଶ୍ ଜଟିଳ ରହିଛି, କିନ୍ତୁ ଭାରତ ଏହାକୁ ଦୃଢ଼ତାର ସହ ମୁକାବିଲା କରୁଛି। ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରଗୁଡ଼ିକରେ ଭାରତର ଲକ୍ଷାଧିକ ଶ୍ରମିକ ଓ ସେମାନଙ୍କ ପରିବାର କାମ କରୁଛନ୍ତି। ଏହି ସଙ୍କଟ ସମୟରେ କୋଟି କୋଟି ଭାରତୀୟଙ୍କୁ ସାହାଯ୍ୟ କରୁଥିବା ସେହି ରାଷ୍ଟ୍ରଗୁଡ଼ିକ ପ୍ରତି ପ୍ରଧାନମନ୍ତ୍ରୀ ନିଜର କୃତଜ୍ଞତା ଜଣାଇଛନ୍ତି। ଏପରି ସ୍ଥିତିରେ ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ କୌଣସି ପ୍ରକାରର ଗୁଜବରେ ବିଶ୍ୱାସ ନକରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସେ କହିଛନ୍ତି, “୧୪୦ କୋଟି ଭାରତୀୟ ଏକାଠି ହୋଇ ଏହି ସଙ୍କଟ ସମୟରେ ଲଢ଼ିବା ଏବଂ ଦେଶକୁ ଆଗକୁ ନେବା।”

Related Articles

Leave a Reply

Your email address will not be published. Required fields are marked *

Back to top button