ସେମିକନ୍ ଇଣ୍ଡିଆ ୨୦୨୫ କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ – ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସେ ଗତକାଲି ରାତିରେ ଜାପାନ ଏବଂ ଚୀନ ଗସ୍ତରୁ ଫେରିଛନ୍ତି। ଆଜି ସେ ଯଶୋଭୂମିରେ ଏପରି ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ସର୍ବଦା ସ୍ୱାଭାବିକ ଏବଂ ଏ ବିଷୟରେ ସମସ୍ତେ ପରିଚିତ । ତାଙ୍କର ସାମ୍ପ୍ରତିକ ଜାପାନ ଗସ୍ତ ସମୟରେ, ତାଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓ ଇଲେକ୍ଟ୍ରୋନ୍ କାରଖାନା ପରିଦର୍ଶନ କରିବାର ସୁଯୋଗ ମିଳିଥିଲା। ସେହି କମ୍ପାନୀର ସିଇଓ ଆଜି ମଧ୍ୟ ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ବାରମ୍ବାର ଏପରି ସମାବେଶ ଆଡ଼କୁ ଆକର୍ଷିତ କରିଥାଏ। ଆଜି ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କୁ ବହୁତ ଆନନ୍ଦ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦୀ କହିଥିଲେ, ଆଜିର ସମାରୋହରେ ପ୍ରାୟ ୪୦ରୁ ୫୦ଟି ଦେଶର ପ୍ରତିନିଧିତ୍ୱ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ସେମିକଣ୍ଡକ୍ଟର କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ନବସୃଜନ ଏବଂ ଯୁବଶକ୍ତିର ଉପସ୍ଥିତି ମଧ୍ୟ ରହିଛି । ଏହି ଅନନ୍ୟ ମିଶ୍ରଣ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥାଏ, ‘‘ବିଶ୍ୱ ଭାରତକୁ ବିଶ୍ୱାସ ଓ ଭରସା କରୁଛି ଏବଂ ଭାରତ ସହିତ ସେମିକଣ୍ଡକ୍ଟର ଭବିଷ୍ୟତ ନିର୍ମାଣ କରିବାକୁ ବିଶ୍ୱ ପ୍ରସ୍ତୁତ ରହିଛି।’’ ପ୍ରଧାନମନ୍ତ୍ରୀ ସେମିକନ୍ ଇଣ୍ଡିଆରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ଅତିଥିଙ୍କୁ ସ୍ୱାଗତ କରିଥିଲେ। ସେମାନେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଆଡକୁ ଭାରତର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନିକଟରେ ପ୍ରକାଶ ପାଇଥିବା ଚଳିତ ବର୍ଷର ପ୍ରଥମ ତ୍ରୈମାସର ଜିଡିପି ଅଭିବୃଦ୍ଧି ସଂଖ୍ୟା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଅଭିବୃଦ୍ଧି ପୁଣିଥରେ ସବୁ ଆକଳନ, ପ୍ରତ୍ୟାଶା ଏବଂ ପୂର୍ବାନୁମାନକୁ ପଛରେ ପକାଇ ଦେଇଛି। ସେ କହିଥିଲେ, ସାରା ବିଶ୍ୱର ବିଭିନ୍ନ ଅର୍ଥବ୍ୟବସ୍ଥା ନାନା ସମସ୍ୟାର ସାମନା କରୁଛନ୍ତି। ଆର୍ଥିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ଆହ୍ୱାନ ସତ୍ତ୍ୱେ ଭାରତ ୭.୮ ପ୍ରତିଶତ ବିକାଶ ହାର ହାସଲ କରିଛି। ଉତ୍ପାଦନ, ସେବା, କୃଷି ଏବଂ ନିର୍ମାଣ ସମେତ ସବୁ କ୍ଷେତ୍ରରେ ଅଭିବୃଦ୍ଧି ସ୍ପଷ୍ଟ ରୂପେ ପରିଲକ୍ଷିତ ହୋଇଛି। ଅର୍ଥବ୍ୟବସ୍ଥାକୁ ନେଇ ରହିଥିବା ଉତ୍ସାହ ସବୁଆଡ଼େ ଦେଖିବାକୁ ମିଳୁଛି। ଭାରତର ଦ୍ରୁତ ଅଭିବୃଦ୍ଧି ଶିଳ୍ପ ଏବଂ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ନୂତନ ଊର୍ଜା ସଞ୍ଚାର କରୁଛି। ଅଭିବୃଦ୍ଧିର ଏହି ଗତିପଥ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ନେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button