ପି.ଏମ୍ କିଷାନ ଯୋଜନା: ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ସହାୟତା

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଇତ୍ୟାବସରରେ, ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର। ଆମ ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆପଣମାନେ ଏହାର ସୁଫଳ ମଧ୍ୟ ପାଉଛନ୍ତି। ସି.ଏମ୍‍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍‍ କିଷାନ ଓ ସି.ଏମ୍‍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି ଏହା ଆମ ପାଇଁ ଖୁସିର କଥା। ପି.ଏମ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି।  ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି। ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ବଜାୟ ରହୁଛି । ଏଥିରେ ସମସ୍ତ ଚାଷୀ- ସେ କ୍ଷୁଦ୍ରଚାଷୀ ହୁଅନ୍ତୁ, ବା ମଧ୍ୟମ କିମ୍ୱା ବଡ଼ ଚାଷୀ, ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ଆଜିର ଏହି ଦିନକୁ ଆମେ “ପି.ଏମ – କିଷାନଦିବସ” ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ।  ଏଥି  ସହିତ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ “ପି.ଏମ- କିଷାନ ଦିବସ” ପାଳନ କରାଯାଉଛି। ଏହି ଅବସରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷକମାନଙ୍କ ମଧ୍ୟରେ ଆବଶ୍ୟକୀୟ ଯୋଗ୍ୟତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button