କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ମହାବୀର ଜୟନ୍ତୀର ଶୁଭ ଅବସରରେ ଗୁଜରାଟର ଗାନ୍ଧୀନଗରସ୍ଥିତ କୋବା ତୀର୍ଥଠାରେ ‘ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ’ (ଜୈନ ଐତିହ୍ୟ ସଂଗ୍ରହାଳୟ)କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, “କୋବା ତୀର୍ଥ ଆଧ୍ୟାତ୍ମିକ ଶାନ୍ତିରେ ପରିପୂର୍ଣ୍ଣ ଏକ ସ୍ଥାନ, ଯେଉଁଠାରେ ଅନେକ ଜୈନ ମୁନି ଏବଂ ସନ୍ଥଙ୍କ ତପସ୍ୟାର ଅଭିବ୍ୟକ୍ତି ଦେଖିବାକୁ ମିଳେ ଏବଂ ଯେଉଁଠାରେ ସୃଜନଶୀଳତା ଓ ସେବା ପ୍ରାକୃତିକ ଭାବରେ ବିକଶିତ ହୋଇଥାଏ।” କୋବା ତୀର୍ଥର ଚିରନ୍ତନ ପରମ୍ପରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଏହି ପବିତ୍ର ସ୍ଥଳରେ ଅଧ୍ୟୟନ, ସାଧନା ଏବଂ ଆତ୍ମ-ଅନୁଶାସନର ପରମ୍ପରା ସମୃଦ୍ଧ ହୋଇଆସୁଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମୂଲ୍ୟବୋଧର ସଂରକ୍ଷଣ, ସଂସ୍କାରର ପ୍ରସାର ଏବଂ ଜ୍ଞାନର ବିକାଶ ହିଁ ସେହି ‘ତ୍ରିବେଣୀ’ ସଙ୍ଗମ ସୃଷ୍ଟି କରେ, ଯାହା ଭାରତୀୟ ସଭ୍ୟତାର ପ୍ରକୃତ ଭିତ୍ତିଭୂମି ଅଟେ। “ଏହି ତ୍ରିବେଣୀ ଧାରାକୁ ଅବିରତ ପ୍ରବାହିତ ରଖିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ,” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ, ଜୈନ ଧର୍ମର କାଳଜୟୀ ଜ୍ଞାନ ଓ ଭାରତର ସମୃଦ୍ଧ ଐତିହ୍ୟକୁ ଏବେ ଜୈନ ଐତିହ୍ୟ ସଂଗ୍ରହାଳୟ ମାଧ୍ୟମରେ ଶତାବ୍ଦୀ ଶତାବ୍ଦୀ ଧରି ସଂରକ୍ଷଣ କରାଯାଉଛି। ଏହା ସନ୍ଥମାନଙ୍କ ଦ୍ୱାରା ପ୍ରାଚୀନ ଜ୍ଞାନକୁ ନୂତନ ଏବଂ ଆଧୁନିକ ରୂପରେ ପରବର୍ତ୍ତୀ ପିଢ଼ିକୁ ଉପସ୍ଥାପନ କରିବା ପାଇଁ ପରିକଳ୍ପନା କରାଯାଇଥିଲା। “ଆଜି, ସେହି ମହାନ ଦୃଷ୍ଟିକୋଣ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ରୂପରେ ସାକାର ହୋଇଛି, ଯାହା ଜୈନ ଦର୍ଶନ, ଭାରତୀୟ ସଂସ୍କୃତି ଏବଂ ଆମର ପ୍ରାଚୀନ ଐତିହ୍ୟର ଏକ ପବିତ୍ର କେନ୍ଦ୍ର,” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button