୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗାଁ’କୁ ପାଇପ ଜଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୂର ହେବ ପାନୀୟ ଜଳ କ୍ଳିଷ୍ଟ । ପ୍ରତ୍ୟେକ ଗାଁ’ରେ ପହଁଚିବ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଏଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ’କୁ ପାଇପ୍ ଜଳ ଯୋଗାଣ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।



