ଆଜି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ

ଭୁବନେଶ୍ବର:ଆଜି ଦୋଳପୂର୍ଣ୍ଣିମାରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ଦିବା ୪ଟା ୩୪ରେ ହେଉଥିବା ବେଳେ ଦିନବେଳା ହେତୁ ଏହା ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ଅପରାହ୍ଣ ୫ଟା ୩୨ରେ ସଂପୂର୍ଣ୍ଣ ଗ୍ରହଣ ଶେଷ ହେବ, ଯାହା ଓଡ଼ିଶା କିମ୍ବା ଭାରତକୁ ଦୃଶ୍ୟ ହେବ ନାହିଁ। ସୂର୍ଯ୍ୟାସ୍ତ ପରେ ସଂଧ୍ୟା ୫ଟା ୫୦ରେ ଚନ୍ଦ୍ରୋଦୟ ଗ୍ରହଣ ଲାଗିଥିବା ଅବସ୍ଥାରେ ହେବ, ଯାହା ଦୃଶ୍ୟ ହେବ। ଏହା ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ। ସନ୍ଧ୍ୟା ୬ଟା ୪୭ରେ ଆଂଶିକ ଗ୍ରହଣ ଶେଷ ସହ ସର୍ବମୋକ୍ଷ ହେବ। ଚନ୍ଦ୍ରଗ୍ରହଣରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଓ ଗ୍ରସ୍ତାଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ ହୋଇଥାଏ। ଗ୍ରସ୍ତୋଦୟ ହେତୁ ଗ୍ରହଣ ଦୃଶ୍ୟର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ। ପ୍ରାତଃପୂଜା ଭୋର ୫ଟା ୫୦ ପୂର୍ବରୁ କରଣୀୟ। ସଂଧ୍ୟା ୬ଟା ୪୭ ପରେ ସ୍ନାନ କରି ଓ ଠାକୁରମାନଙ୍କ ମହାସ୍ନାନ କରାଇ ସଂଧ୍ୟାକାଳୀନ ଦେବପୂଜା ଓ ରୋଷେଇବାସ ଇତ୍ୟାଦି କରାଯାଇପାରିବ।



