ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ୧୮ ମୃତ

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁରେ ବଡ ଧରଣର ସଡକ ଦୁର୍ଘଟଣା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୮ ଜଣଙ୍କ ଜୀବନ ଯାଇଛି । ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ ତ୍ରିଶୁଳି ନଦୀକୁ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଅଛନ୍ତି । ଏହା ସହିତ ୨୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ନ୍ୟୁଜିଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି । ପୃଥ୍ୱୀ ରାଜପଥର ଧାଡିଂ ଜିଲ୍ଲାର ବେନିଘାଟ ରୋରାଙ୍ଗରେ ରାତି ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗା ବ୍ୟବହାର କରିଥିଲେ । ସେମାନଙ୍କୁ ପ୍ରାୟ ଏକ କିଲୋମିଟର ତଳକୁ ଆଣି ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଯାଇଥିଲା । ଦୁର୍ଘଟଣାରେ ମୃତକ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ୨୭ ଜଣଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲକୁ ନିଆଯାଇଛି। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ଅନେକଙ୍କୁ କାଠମାଣ୍ଡୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ନେପାଳରେ ସଡ଼କ ସୁରକ୍ଷାର ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ମୃତକଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ଜଣେ ପୁରୁଷ ଯାତ୍ରୀ ଥିବା ବେଳେ ଆହତଙ୍କ ମଧ୍ୟରେ ଜଣେ ଜାପାନୀ ମହିଳା ଏବଂ ଜଣେ ଡଚ୍ ମହିଳା ଅଛନ୍ତି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ଅନୁମାନ କରୁଛି, ଦ୍ରୁତ ଗତି ଏକ ସମ୍ଭାବ୍ୟ କାରଣ ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button