ପାରଦ ଉପରମୁହାଁ, ଫେବୃଆରୀରେ ତାତି ଛୁଇଁଲା ୩୫ ଡିଗ୍ରୀ

ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ ଡିଗ୍ରୀ ପାର କଲା ଦିନର ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି। ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟେଲୋ ମାର୍କ ଦିଆଯାଇଛି। ସେପଟେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୫.୨ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଝରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡ଼ା, ଅନୁଗୁଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ। ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଶୁଖିଲା ପାଗ ରହିଛି। ୩ଟି ସ୍ଥାନ ଅର୍ଥାତ ଅନୁଗୁଳ, ଗୋପାଳପୁର ଏବଂ ଛତ୍ରପୁରରେ ଘନକୁହୁଡ଼ି ଦେଖା ଦେଇଛି। ଯଦି ସର୍ବନିମ୍ନ ତାପମାତ୍ରା ଦେଖିବା ତାହାଲେ ସେମିଳିଗୁଡ଼ାରେ ୧୨ ଡିଗ୍ରୀ, କୋରାପୁଟରେ ୧୪ ଡିଗ୍ରୀ , ନୂଆପଡ଼ାରେ ୧୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୮ ତାରିଖ ଯାଏ ପାଗ ମୁୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନକୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ରେ ଘନକୁହୁଡି ନେଇ ସତର୍କତା ଜାରି କରାଯାଇଛି। ସେହିଭଳି ୩ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୪ ତାରିଖ ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ଯାଜପୁର, କନ୍ଧମାଳରେ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button